ତାଲା ନଖୋଲିବାରୁ ତାଲା ଭଙ୍ଗା ଯାଇ ଭିତର ରତ୍ନଭଣ୍ଡାର ଖୋଲାଯାଇଛି: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

0

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। । ଖୋଲାଗଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ତାଲା ନଖୋଲିବାରୁ ତାଲା ଭଙ୍ଗା ଯାଇ ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ପାଖାପାଖି ସାଢେ ଚାରି ଘଣ୍ଟା ପରେ ଶ୍ରୀମନ୍ଦିରରୁ ବାହାରିଛନ୍ତି ୧୧ ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି। ଏହା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ଆନୁଷ୍ଠାନିକ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ଏସଓପି ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟକାରୀ କରିଛୁ। ବାହାର ରତ୍ନ ଭଣ୍ଡାର ଖୋଲାଯାଇ ସେଥିରେ ଥିବା ସବୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଏସଓପି ଅନୁସାରେ ବାହାର ରତ୍ନ ଭଣ୍ଡାର ତାଲା ଖୋଲାଯାଇ ସବୁ ଅଳଙ୍କାରକୁ ଚାଙ୍ଗଡା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସମସ୍ତ ସଦସ୍ୟ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସିଲ୍ କରାଯାଇଥିଲା।

ପାଢୀ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ନିକଟକୁ ଗଲୁ। ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ଟି ତାଲା ଚାବିରେ ଖୋଲି ପାରିଲା ନାହିଁ। ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ। ଏସଓପି ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତିନୋଟି ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା। ଏହା ପରେ କମିଟି ଭିତର ଭଣ୍ଡାରକୁ ପ୍ରବେଶ କରିଥିଲେ। ଭିତର ରତ୍ନଭଣ୍ଡାରରେ ଯାହା ଗଚ୍ଛିତ ଥିଲା ତାହା ଆଲମିରା ଏବଂ ସିନ୍ଦୁକରେ ବନ୍ଦ ହୋଇ ରହିଛି। କିନ୍ତୁ କୌଣସି ଅଳଙ୍କାର ଆମେ ଦେଖିନାହୁଁ। ଭିତର ରତ୍ନଭଣ୍ଡାର ଖୋଲିଲା ବେଳକୁ ବହୁ ସମୟ ହୋଇଯାଇଥିଲା। ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆଉ ଗୋଟିଏ ଦିନରେ ଭିତର କିମ୍ବା କିଛି ସମୟ ନିଆଯାଇ ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି। ଆଜି ଭିତର ରତ୍ନଭଣ୍ଡାର ବୁଲି କି ଫେରିଛନ୍ତି ଯାଞ୍ଚ କମିଟି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ଭିତର ରତ୍ନଭଣ୍ଡାର ଅସ୍ଥାୟୀ ଶେଜ ଘରକୁ ସ୍ଥାନାନ୍ତର ପରେ ରତ୍ନଭଣ୍ଡାରକୁ ଏଏସଅଇକୁ ହସ୍ତାନ୍ତର କରାଯିବ। ଏଏସଆଇ ରକ୍ଷଣାବେକ୍ଷଣ କରି ସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ରତ୍ନ ଅଳଙ୍କାରଗୁଡ଼ିକୁ ପୁଣି ଥରେ ରତ୍ନଭଣ୍ଡାର ଭିତରକୁ ନିଆଯିବ। ସେଠାରେ ହିଁ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ।

Leave a comment