ମାଟିରେ ମିଶିଲା ଶହଶହ ଘର, ଓଡ଼ିଶାରେ ୬ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘ଅମ୍ଫାନ’ ବିପର୍ଯ୍ୟୟ ବେଳେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ ଥିବାବେଳେ ବାଲେଶ୍ବର, ଭଦ୍ରକ ଓ କଟକରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍ ସାତଭାୟା ଗ୍ରାମର କୋଇଲି ବେହେରା(୬୫) ଓ ଘଡ଼ିଆମାଳ ପଞ୍ଚାୟତ ଜୁଣଗଡ଼ି ଗ୍ରାମର ଦୁର୍ଯୋଧନ ରାଉଳ(୫୫)ଙ୍କର ଏହି ସମୟରେ ମୃତ୍ୟୁ ଘଟିଛି। ଏହି ଜିଲ୍ଲା ମହାକାଳପଡ଼ା ବ୍ଲକର ବତୀଘର ପଞ୍ଚାୟତର ବଡ଼ଟୁବି ଗ୍ରାମର ଯମୁନା ମଣ୍ଡଳଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ ସକାଳେ ମାଛ ଧରିବାକୁ ଯାଇଥିଲେ। ଅପରାହ୍ନରେ ତାଙ୍କ ମୃତଦେହ ଟୁବି ନଦୀରୁ ଉଦ୍ଧାର କରାଯାଇଥିଲା।
ଅଧିକ ପ୍ରଭାବିତ ବାଲେଶ୍ବର ଜିଲ୍ଲାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ବାତ୍ୟା ପବନ ତାଙ୍କୁ ଉଡ଼ାଇ କଚାଡ଼ି ଦେଇଥିଲା। ମହିଳା ଜଣଙ୍କ ହେଲେ ସୁମିତ୍ରା ସିଂହ(୫୫)। ବାତ୍ୟା ପ୍ରକୋପରୁ ବର୍ତ୍ତିବା ପାଇଁ ଉକ୍ତ ମହିଳା ପୁଅ ବିଜୟକୁ ଧରି ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳକୁ ଚାଲିଆସିଥିଲେ।
ସେହିଭଳି, ଭଦ୍ରକର ତିହିଡ଼ି ଅଞ୍ଚଳରେ କାନ୍ଥ ପଡ଼ି ୩ ମାସର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗ୍ରାମ ବଳରାମ ଦାସଙ୍କ ୩ ମାସର ପୁଅ। ଆଜି ସକାଳୁ ଶିଶୁଟିକୁ ଶୁଆଇ ଦେଇ ମାଆ ବାହାରେ କାମ କରୁଥିଲେ। ଏହି ସମୟରେ ବର୍ଷାରେ ଭିଜିଯାଇଥିବା ଝାଟିମାଟି କାନ୍ଥ ଭାଙ୍ଗିଯାଇ ଶିଶୁ ଉପରେ ପଡ଼ିଯାଇଥିଲା।
ସେହିଭଳି ନଡିଆ ବାହୁଙ୍ଗା ପଡି କଟକ ଜିଲ୍ଲା ଦେବୀ-କନ୍ଦଳ ଦ୍ବୀପାଂଚଳ ଏକବେରୁଁଆ ପଂଚାୟତ ନାଟୀ ଗ୍ରାମର ଖୁଦ ସାବୁତ(୭୧)ଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯିବା ସହ ଏହା ସ୍ବାଭାବିକ ମୃତ୍ୟୁ ବୋଲି ନିଆଳି ତହସିଲଦାର ସୂଚନା ଦେଇଛନ୍ତି।