ପଶ୍ଚିମବଙ୍ଗରେ ପ୍ରଳୟ: ଅନ୍ୟୂନ ୧୨ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଶ୍ଚିମବଙ୍ଗରେ ତାଣ୍ଡବଲୀଳା କଲା ବାତ୍ୟା ଅମ୍ଫାନ୍ । ଏଥିପାଇଁ ଅନ୍ୟୂନ ୧୨ଜଣ ବ୍ୟକ୍ତଙ୍କର ମୃତ୍ୟୁ ଘଟିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଘଣ୍ଟା ପ୍ରତି ୧୯୦ କିଲୋମିଟର୍ ପବନ ସଙ୍ଗକୁ ପ୍ରବଳବର୍ଷା ଯୋଗୁଁ କେତେକ ଘରଦ୍ବାର ଓ ଚାଷଜମି ବୁଡ଼ିଯାଇଛି।
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଗଛ ଭାଙ୍ଗି ପଡ଼ିବାରୁ ଦୁଇଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ନିକଟବର୍ତ୍ତୀ ହାଓଡ଼ା ଜିଲ୍ଲାରେ ମଧ୍ୟ ଗଛ ଭାଙ୍ଗି ଜଣେ ୧୩ ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ବାତ୍ୟା ଯୋଗୁଁ ଅନ୍ୟୂନ ୭/୮ଟି ମୃତ୍ୟୁ ଖବର ଆସିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି। ରାଜ୍ୟ ସଚିବାଳୟ ନବାନ୍ନରେ ଥାଇ ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ର ମମତା ବାନାର୍ଜୀ କହିଛନ୍ତି, ବାତ୍ୟା ଯୋଗୁଁ ଅନ୍ୟୂନ ୧୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ଗୋଟିଏ ପରେ ଗୋଟିଏ ଅଞ୍ଚଳ ଧ୍ବଂସ ହୋଇଯାଇଛି। ଆଜି ମୁଁ ଯୁଦ୍ଧ ଭଳି ପରିସ୍ଥିତି ଅନୁଭବ କରୁଛି। ଏଭଳି ଗୋଟାଏ ପ୍ରଳୟଙ୍କରୀ ବାତ୍ୟା ୧୭୩୭ ମସିହାରେ ଆସିଥିଲା। ମୋ କାର୍ଯ୍ୟାଳୟ ନବାନ୍ନ ଦୋହଲି ଯାଉଛି। ସେ ଆହୁରି କହିଲେ ଯେ ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଦୁଇଟି ଜିଲ୍ଲାର ନନ୍ଦୀଗ୍ରାମ, ରାମନଗର ଧ୍ବଂସ ହୋଇଯାଇଛି। ପଥରପ୍ରତିମା, ନାମଖାନା, କାକଦ୍ବୀପ, କୁଳତାଳି, ବାରୁଇପୁର ଓ ସୋନପୁରରେ ପ୍ରଳୟର ଚିତ୍ର ଦେଖିବାକୁ ମିଳୁଛି। ରାଜାରହାଟ, ହାସନାବାଦ, ସନ୍ଦେଶଖାଲି, ଗୋସାବା, ହବ୍ରା ମଧ୍ୟ ବିପଦରେ ପଡ଼ିଛି।