ମାର୍ଚ୍ଚରେ ହ୍ରାସ ପାଇଛି ଯାତ୍ରୀବାହୀ ଗାଡ଼ି ବିକ୍ରି

0

ନୂଆଦିଲ୍ଲୀ : ଭାରତୀୟ ଘରୋଇ ବଜାରରେ ହ୍ରାସ ପାଇଛି ଯାତ୍ରୀବାହୀ ଗାଡିର ବିକ୍ରି । ମାର୍ଚ୍ଚ ମାସର ରିଟେଲ ସେଲରେ ମିଳିଥିବା ରିପୋର୍ଟ ଅନୁଯାୟୀ ଗାଡି ବିକ୍ରିରେ ପ୍ରାୟ ୪.୮୭ ପ୍ରତିଶତ ହ୍ରାସ ପାଇଛି । ମାର୍ଚ୍ଚ ମାସରେ ସମୁଦାୟ ୨ ଲକ୍ଷ ୭୧ ହଜାର ୩୫୮ ୟୁନିଟ ଗାଡି ବିକ୍ରି ହୋଇଥିବା ବେଳେ ବିଗତ ବର୍ଷର ସମାନ ସମୟରେ ୨ ଲକ୍ଷ ୮୫ ହଜାର ୨୪୦ ୟୁନିଟ ଗାଡି ବିକ୍ରି ହୋଇଥିଲା । ଅଟୋମୋବାଇଲ ଡିଲର୍ସ ଅଫ୍ ଇଣ୍ଡିଆ(ଫାଡା) ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।

ସେହିପରି ଦୁଇ ଚକିଆ ଯାନର ବିକ୍ରି ମଧ୍ୟ ହ୍ରାସ ପାଇଛି । ଫାଡା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦୁଇ ଚକିଆର ଯାନର ବିକ୍ରିରେ ମଧ୍ୟ ୪.୦୨ ପ୍ରତିଶତର ଅବନତି ଦେଖାଦେଇଛି । ମାର୍ଚ୍ଚ ମାସରେ ୧୧ ଲକ୍ଷ ୫୭ ହଜାର ୬୮୧ଟି ୟୁନିଟ ବିକ୍ରି ହୋଇଥିବା ବେଳେ ବିଗତ ବର୍ଷରେ ଏହି ସଂଖ୍ୟା ୧୨ ଲକ୍ଷ ୬ ହଜାର ୧୯୧ ରହିଥିଲା । ଗ୍ରାମାଞ୍ଚଳରେ ଅର୍ଥନୈତିକ ଦୁସ୍ଥିତି ପାଇଁ ଦୁଇ ଚକିଆ ଯାନର ବିକ୍ରି ହ୍ରାସ ପାଇଥିବା କହିଛନ୍ତି ଫାଡାର ସଭାପତି ଭିଙ୍କେଶ ଗୁଲାଟୀ । ତେବେ ବ୍ୟବସାୟ ପାଇଁ ବ୍ୟବହୃତ ଗାଡି ଏବଂ ତିନି ଚକିଆ ଯାନର ବିକ୍ରିରେ ଯଥାକ୍ରମେ ୧୪.୯୧ ଓ ୨୬.୬୧ ପ୍ରତିଶତର ଅଭିବୃଦ୍ଧି ଘଟିଛି । ବ୍ୟବସାୟ ପାଇଁ ବ୍ୟବହୃତ ଗାଡି ସଂଖ୍ୟା ବିଗତ ବର୍ଷର ମାର୍ଚ୍ଚ ମାସରେ ୬୭ ହଜାର ୮୨୮ ରହିଥିବା ବେଳେ ଚଳିତ ବର୍ଷ ଏହା ୭୭ ହଜାର ୩୯୮ରେ ପହଞ୍ଚିଛି । ଏହି ସମୟରେ ତିନି ଚକିଆ ଯାନର ବିକ୍ରି ସଂଖ୍ୟା ୪୮ ହଜାର ୨୮୪ରେ ରହିଛି ଯାହାକି ବିଗତ ବର୍ଷର ମାର୍ଚ୍ଚ ମାସରେ ୩୮ ହଜାର ୧୩୫ ଥିଲା । ତେବେ ସମୁଦାୟ ଯାନ ବିକ୍ରିକୁ ହିସାବକୁ ନେଲେ ଏହି ସଂଖ୍ୟା ୨.୮୭ ପ୍ରତିଶତ ହ୍ରାସ ପାଇଛି । ବିଗତ ବର୍ଷରେ ସମୁଦାୟ ୧୬ ଲକ୍ଷ ୬୬ ହଗାର ୯୬୬ଟି ଯାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷର ସଂଖ୍ୟା ୧୬ ଲକ୍ଷ ୧୯ ହଜାର ୧୮୧ ରହିଛି ।

Leave a comment