ଜାତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କଲା ବଲାଙ୍ଗୀରର ଘୁଡକା ନାଚ; ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
କଳାସଂସ୍କୃତିର ମାଟି ବଲାଙ୍ଗୀର ଜିଲ୍ଲା। ବିଭିନ୍ନ ସମୟରେ ଏଠାକାର କଳାକାର ପ୍ରମାଣ କରିଛନ୍ତି। ତେବେ ସାରା ଦେଶରେ ଆଦିବାସୀ ନୃତ୍ୟ କଳା ସଂସ୍କୃତିକୁ ନେଇ ହୋଇଥିବା ମହୋତ୍ସଵ ରେ ବଲାଙ୍ଗୀର ଜିଲ୍ଲା ଘୁଡକା ନାଚ ଦ୍ୱିତୀୟ ସ୍ଥାନ ପାଇଛି। ଏହାକୁ ନେଇ ସମଗ୍ର ରାଜ୍ୟ ଗର୍ବିତ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ଶୁଭେଚ୍ଛା ଜଣାଇବା ସହ କଳାକାରଙ୍କ ମନୋବଳ ବଢାଇଛନ୍ତି।ସେପଟେ ବଲାଙ୍ଗୀରରେ ପହଞ୍ଚିବା ପରେ କଳାକାରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
ଛତିଶଗଡ଼ ରାୟପୁରରେ ନଭେମ୍ୱର ୧ ତାରିଖରୁ ୩ ପର୍ଯ୍ୟନ୍ତ ତିନି ଦିନ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଥିଲା। ସାରା ଦେଶରୁ ୬୦ରୁ ଅଧିକ ନୃତ୍ୟ ଦଳ ଏହି ମହୋତ୍ସବରେ ଭାଗ ନେଇଥିଲେ। ସେଥିରୁ ବଲାଙ୍ଗୀର ଜିଲ୍ଲା ଘୁଡକା ନାଚ ଦ୍ୱିତୀୟ ସ୍ଥାନ ପାଇଛି। ବଲାଙ୍ଗୀର ଦୁଲଦୁଲି କଳାପରିଷଦର ୨୦ ଜଣ କଳାକାର ଏହି ନୃତ୍ୟ ମହୋତ୍ସବରେଭାଗ ନେଇଥିଲେ। ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରାର ନାଚ ହେଉଛି ଘୁଡକା। ଏହି ନାଚ ଆଜି ସାରା ରାଜ୍ୟ ପାଇଁ ଆଣିଛି ସୁନାମ। ତେବେ ବଲାଙ୍ଗୀର ଜିଲ୍ଲାରେ ଏହି ପ୍ରଥମ ଆଦିବାସୀ ନୃତ୍ୟକୁ ସାରା ଦେଶରେ ନାଁ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହି ସମ୍ମାନିତ ହୋଇଛି।