ପଶ୍ଚିମ ଓଡ଼ିଶାର ବିଜେଡିର ବାହୁବଳୀ ନେତା ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି : ତାରା ବାହିନୀପତି
ନବ ଦାସଙ୍କ ହତ୍ୟା ପଛର ଉଦ୍ଦେଶ୍ୟ କ’ଣ? କ୍ରାଇମବ୍ରାଞ୍ଚ ହତ୍ୟାର ମୋଟିଭା ବା ଉଦ୍ଦେଶ୍ୟକୁ ନେଇ କିଛି ସ୍ପଷ୍ଟ କରିନି। କିନ୍ତୁ ଏହାରି ଭିତରେ ହତ୍ୟା ପଛର ଉଦ୍ଦେଶ୍ୟକୁ ନେଇ ବୟାନବାଜି ତେଜିଛି। ବିରୋଧୀ ଏହି ପ୍ରସଙ୍ଗରେ ଶାସକ ଦଳକୁ ଷଣ୍ଢୁଆଶୀ ଆକ୍ରମଣ କରୁଛନ୍ତି। ବିଜେପି ନେତା ହତ୍ୟା ପଛରେ ଉପକୂଳ ଓଡ଼ିଶାର ନେତାଙ୍କ ସଂପୃକ୍ତି ରହିଛି ବୋଲି ଦାବି କରୁଥିବା ବେଳେ କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡି ନେତାଙ୍କ ସଂପୃକ୍ତି ରହିଛି।
ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡିର ବାହୁବଳୀ ନେତା ନବ ହତ୍ୟା କାଣ୍ଡରେ ସମ୍ପୃକ୍ତ ଅଛନ୍ତି। ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। କାହିଁକି କଣ ପାଇଁ ହତ୍ୟା ହେଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସ୍ପଷ୍ଟ କରୁ ନାହାନ୍ତି। ଗୋପାଳଙ୍କୁ ପାଗଳ କରିଦେବାକୁ ଚେଷ୍ଟା କି ସେ ପାଗଳ ସ୍ପଷ୍ଟ କରନ୍ତୁ ସରକାର। ତେଣୁ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି। ଏହି ଘଟଣାରେ ରାଜ୍ୟସରକାର ସଂନ୍ଦେହ ଘେରରେ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି, ନବ ଦାସଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି। ସରକାର କେଵଳ ଗୋପାଳ ଉପରେ ଦୃଷ୍ଟି ଦେଉଛନ୍ତି। ଷଡ଼ଯନ୍ତ୍ର ଅଂଶକୁ ଯାଉନାହାନ୍ତି। ବରଂ ଏସଆଇଟି ଗଠନ କରିବାକୁ ହାଇକୋର୍ଟକୁ ଲେଖନ୍ତୁ। ଏଭଳି ଜଣେ ଜଜଙ୍କୁ ପ୍ରଶାସନିକ ଭାବେ ଦାୟିତ୍ବ ନ ଦେଇ ଜଣେ ଜଜଙ୍କୁ ନ୍ୟାୟିକ ନିଯୁକ୍ତି ପାଇଁ ହାଇକୋର୍ଟକୁ ଲେଖନ୍ତୁ ବୋଲି ସେ ଦାବି କରିଛନ୍ତି।
ତାରା କହିଛନ୍ତି, ସରକାର ନିରପେକ୍ଷ ତଦନ୍ତ କରୁଛନ୍ତି ବୋଲି ହୃଦବୋଧ ହେଉ ନାହିଁ। ଆସ ଅନୁମାନ କରୁଛୁ ବିଜେଡିର ଜଣେ ନେତା ମାରିଲା ଭଳି ଲାଗୁଛି। ଝାରସୁଗୁଡାରେ ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳି ନେତା ସହ ନବ ଦାସଙ୍କର ପଡୁନଥିଲା। ସେ ବାହୁବଳି ନେତା ତାଙ୍କୁ ମାରିଦେଇନାହାନ୍ତି ତ? ସେ ବିଷୟରେ ପ୍ରଶ୍ନକାଳରେ ଆଲୋଚନା ହେଉ। କଂଗ୍ରେସ ରାଜନୀତି କରୁନି ନ୍ୟାୟ ଦାବି କରୁଛି ଯିଏ ପ୍ରକୃତ ହତ୍ୟାକାରୀ ତାକୁ ଧରାଯାଉ। ନବ ଦାସ ପୂର୍ବରୁ କଂଗ୍ରେସରେ ଥିଲେ। ସେ ତାଙ୍କର ବନ୍ଧୁ। କଂଗ୍ରେସରେ ଥିଲା ବେଳେ ନବ ଦାସ କୁଆଡେ କହୁଥିଲେ ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳି ନେତା ସହ ତାଙ୍କର ପଡୁନଥିଲା।
ଉଲ୍ଲେଖଯୋଗ୍ୟ, ଗତକାଲି ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର କହିଥିଲେ ନବ ଦାସଙ୍କ ହତ୍ୟା ମାମଲାରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ସଂପୃକ୍ତି ରହିଛି। ଉଭୟଙ୍କ ଫୋନ୍ କଲ ରେକର୍ଡ ତଦନ୍ତ ପରିସର ହେଉ।