ବେଦାନ୍ତ କମ୍ପାନୀ ବେଆଇନ ଭାବେ କୋଇଲା ଖଣିରେ ଖନନ କରୁଛି : ବିଜୟ ପଟ୍ଟନାୟକ

0

ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ ମଧ୍ୟରେ ଥିବା ଜାମକାନି ଅଞ୍ଚଳରେ ବ୍ୟାପକ ଭାବେ କୋଇଲା ଖନନ ହେଉଛି । ଏହି କୋଇଲା ଖଣିର ଆବଣ୍ଟନ ସଠିକ ନିୟମରେ ହୋଇନଥିବାର ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ । ଏହି କୋଇଲା ଖଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ବାସିନ୍ଦା, ରାଇରଙ୍ଗପୁର ବିଧାୟକ ରାଜନ ଏକ୍କା ,ସୁନ୍ଦରଗଡ କଂଗ୍ରେସ ନେତ୍ରୀ ଅମିତା ବିଶ୍ୱାଳ ଏବଂ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ପଞ୍ଚାନନ ଦାସଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କିପରି ବେଦାନ୍ତ କମ୍ପାନୀ ବେଆଇନ ଭାବେ ଏହି କୋଇଲା ଖଣିରେ ଖନନ କରୁଛି ତାହା ଅଭିଯୋଗ କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଅଭିଯୋଗରେ କହିଛନ୍ତି ଯେ ଜାମକାନି ଅଞ୍ଚଳରେ ଥିବା କୋଇଲା ଖଣି ପ୍ରଥମେ ଭୂଷଣ କମ୍ପାନୀକୁ ଆବଣ୍ଟନ ହୋଇଥିଲା । କିନ୍ତୁ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଏହି କୋଇଲା ଖଣି ଗୁଡିକ (ଡି.ଆଲୋକେଟ୍) ଅର୍ଥାତ ସରକାରଙ୍କ ପାଖକୁ ଫେରି ଆସିଲା । ଏବଂ ନିଲାମୀ ପ୍ରକ୍ରିୟା ମାଧ୍ୟମରେ ଏହି କୋଇଲା ଖଣି ଗୁଡିକ ବେଦାନ୍ତ କମ୍ପାନୀକୁ ମିଳିଥିଲା ।ଶ୍ରୀ ପଟ୍ଟନାୟକ ଏହି କୋଇଲା ଖଣି ଆବଣ୍ଟନ ବେଆଇନ ଭାବେ ହୋଇଥିବାର ଅଭିଯୋଗ କରିବା ସହ ନିର୍ଦ୍ଧିଷ୍ଟ ଆଇନଗତ ତଥ୍ୟ ପ୍ରଦାନ କରିଥିଲେ ।

ପ୍ରଥମତଃ କୋଇଲା ଖଣିରେ ଖନନ ପୂର୍ବରୁ ପ୍ରଥମେ ପରିବେଶ ମଞ୍ଜୁରି ମିଳିବା କଥା । ଏହି ପ୍ରକଳ୍ପ ପାଇଁ ବେଦାନ୍ତ କମ୍ପାନିକୁ ପରିବେଶ ମଞ୍ୁରୀ ମିଳିଛି କି ନାହିଁ ଏହା ସନ୍ଦେହ ସୃଷ୍ଟି କରୁଛି । କାରଣ ପୂର୍ବରୁ ଏହି କୋଇଲା ଖଣି ଭୂଷଣ କମ୍ପାନୀ ପାଖରେ ଥିଲା, ଯେହେତୁ ଏହି ଖଣି ସରକାରଙ୍କ ଅଧିନକୁ ଚାଲି ଆସିଥିଲା ଏବଂ ନୂତନଭାବେ ନିଲାମୀ ବ୍ୟବସ୍ଥା ମାଧ୍ୟମରେ ଏହି କୋଇଲା ଖଣି ଗୁଡିକ ବେଦାନ୍ତ କମ୍ପାନୀକୁ ମିଳିଥିଲା । ତେଣୁ ସନ୍ଦେହ କରାଯାଉଛି ଯେ ବେଦାନ୍ତ କମ୍ପାନୀ ପରିବେଶ ମଞ୍ଜୁରି ନ ନେଇ ଖନନ କାର୍ଯ୍ୟ କରୁଛି । ଯାହା ଏକ ବଡ ଅପରାଧ ।

ଦ୍ୱିତୀୟତଃ ଏହା ୨୦୧୩ ମସିହାର ଜମି ଅଧିଗ୍ରହଣ ନିୟମକୁ ବେଦାନ୍ତ କମ୍ପାନୀ ଉଲ୍ଲଘଂନ କରୁଛି । ଏହି କାରଣରୁ ଖଣିଅଞ୍ଚଳରେ ବେଆଇନଭାବେ ଜମି ଅଧିଗ୍ରହଣ ହୋଇଥିବାରୁ ସେହି ଅଞ୍ଚଳର ବାସିନ୍ଦାଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରି ନାହିଁ । ବିସ୍ଥାପିତମାନଙ୍କୁ ସଠିକ୍ ଭାବେ ଥଇଥାନ କରାଯାଇ ନାହିଁ ଏବଂ ସେମାନଙ୍କୁ କ୍ଷତି ପୂରଣ ଦିଆଯାଇନାହିଁ ।

ଏହି ଭଳିଭାବେ ବେଦାନ୍ତ କମ୍ପାନୀ ଏକ ବଡ ଧରଣର ନିୟମ ଉଲ୍ଲଘଂନ କରିବା ସହ ବେଆଇନ ଭାବେ ଖନନ କାର୍ଯ୍ୟ କରୁ ଥିବାର ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।ବେଦାନ୍ତ କମ୍ପାନୀର ଏଭଳି ବଡ ଧରଣର ନିୟମ ଉଲ୍ଲଘଂନ ଘଟଣା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର କୈାଣସି କାର୍ଯ୍ୟାନୁଷ୍ଠାନ ନ ନେଇ କିପରି ଚୁପ ହୋଇ ବସିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।ପରିବେଶ ମଞ୍ଜୁରୀ ନ ନେଇ ଖନନ କାର୍ଯ୍ୟ କରିବା ଏବଂ ଜମି ଅଧିଗ୍ରହଣ ନିୟମକୁ ଉଲଙ୍ଘନ କରି ବିସ୍ଥାପିତ ମାନଙ୍କୁ ନିଜ ହକ୍ ରୁ ବଞ୍ଚିତ କରିଥିବା ବେଦାନ୍ତ କମ୍ପାନୀ ବିରୁଦ୍ଧରେ ସରକାର ଯଦି ଉଚିତ୍ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ କହିଛନ୍ତି ।

Leave a comment