ହଟିଲା ଟ୍ବିଟର ଲୋଗୋ, ନୀଳ ଚଢ଼େଇ ବଦଳରେ ହେଲା ‘ଏକ୍ସ’
ହଟିଲା ଟ୍ବିଟର ଲୋଗୋ ଥିବା ନୀଳ ଚଢ଼େଇ । ଏବେ ଟ୍ବିଟରର ନୂଆ ଲୋଗୋ ହେଇଛି। ‘ଏକ୍ସ’ । ଟେସଲା କମ୍ପାନୀର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟ୍ୱିଟର କିଣିବା ପରଠାରୁ ନିୟମିତ ଏଥିରେ କିଛି ନା କିଛି ପରିବର୍ତ୍ତନ କରିବାରେ ଲାଗିଛନ୍ତି। ମସ୍କ ରବିବାର ଏକ ଆଶ୍ଚର୍ଯ୍ୟକର ଘୋଷଣା କରି କହିଥିଲେ ଯେ, ସେ ଟ୍ୱିଟର ଲୋଗୋ ବଦଳାଇବାକୁ ଯାଉଛନ୍ତି।
ସେ କହିଥିଲେ ଯେ, ଖୁବ୍ଶୀଘ୍ର ଟ୍ୱିଟରର ରି-ବ୍ରାଣ୍ଡିଂ କରିବେ। ଏବେ ଟ୍ବିଟରର ନୂଆ ଲୋଗୋ ‘ଏକ୍ସ’ ହୋଇପାରେ ବୋଲି ଗତକାଲି ଚର୍ଚ୍ଚା ଜୋର ଧରିଥିଲା। ମୂଳ କମ୍ପାନୀ ଏକ୍ସ-କର୍ପ ଅନୁଯାୟୀ ଏଥର ଇଂରାଜୀ ଅକ୍ଷର ଏକ୍ସ ଭଳି ଟ୍ୱିଟରର ଲୋଗୋ ରଖାଯିବ। ମସ୍କଙ୍କ ମନରେ ଅନେକ ଦିନ ହେବ ଏକ୍ସ ନାମ ରହିଛି। ଏହାପୂର୍ବରୁ ନୂଆ ସିଇଓ ଲିଣ୍ଡା ୟାକାରିନୋଙ୍କୁ ସ୍ବାଗତ କରି ମସ୍କ ଏପ୍ରିଲରେ ଟ୍ବିଟ୍ କରିଥିଲେ ଯେ, ଏହି ପ୍ଲାଟଫର୍ମକୁ ଏକ୍ସଦ ଏଭ୍ରିଥିଙ୍ଗ୍ ଆପରେ ବଦଳାଇବାକୁ ଲିଣ୍ଡାଙ୍କ ସହ ସେ କାମ କରୁଛନ୍ତି।
ମସ୍କ ଅନ୍ୟ ଏକ ଟ୍ୱିଟରରେ କହିଥିଲେ ଯେ, ଆଜି ରାତିରେ ଏକ ଭଲ ଏକ୍ସ ଲୋଗୋ ପୋଷ୍ଟ କରାଯାଉଛି, ତେବେ ଆମେ କାଲି ଏହାକୁ ଦୁନିଆରେ ଲାଇଭ୍ କରିଦେବୁ।’