କୋହଳ ହେଲା ଟିକାକରଣ: ଦ୍ୱିତୀୟ ଡୋଜ୍ ପାଇଁ ବୁକିଂ କରିବାକୁ ପଡ଼ିବନି ସ୍ଲଟ
(ଓଡ଼ିଶାଫାଷ୍ଟ ବ୍ୟୁରୋ): ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ପାଇଁ ବଡ଼ ଆଶ୍ୱସ୍ତି ମିଳିଛି । ପ୍ରଥମ ଡୋଜ୍ ନେଇ ସାରିଥିବା ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ ପାଇଁ ଆଉ ସ୍ଲଟ୍ ବୁକିଂ କରିବାକୁ ପଡିବନି । ବିନା ପଞ୍ଜିରଣରେ ସେମାନେ ଟିକା ନେଇପାରିବେ । ଯେଉଁଠି ପ୍ରଥମ ଡୋଜ୍ ନେଇଥିବେ ସେହି କେନ୍ଦ୍ରକୁ ସିଧା ଯାଇ ଦ୍ୱିତୀୟ ଡୋଜ୍ ନେଇପାରିବେ । ପ୍ରଥମ ଡୋଜ୍ ନେବାର ୨୯ରୁ ୪୨ ଦିନ ଭିତରେ ସେଠାକୁ ଯାଇ ଟିକା ନେବାକୁ ପଡିବ । ପ୍ରଥମ ଡୋଜ୍ର ସାର୍ଟିଫିକେଟ୍ ଦେଖାଇଲେ ଯାଇ ଦ୍ୱିତୀୟ ଡୋଜ୍ ଦିଆଯିବ । ସେହିଭଳି ଡ୍ରାଇଭ ଇନ ଟିକାକରଣର ସଫଳତାକୁ ଦେଖି ବିଏମ୍ସି ଆଜି (ଗୁରୁବାର)ଠାରୁ ଆଉ କିଛି ସ୍ଥାନରେ ଡ୍ରାଇଭ୍ ଇନ କେନ୍ଦ୍ର ଆରମ୍ଭ କରିଛି । କେନ୍ଦ୍ରୀୟ ବିଦ୍ୟାଳୟ ନଂ-୬, ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଓ ୨୩ନଂ ୱାର୍ଡରେ ଥିବା ଖଣ୍ଡଗିରି ବାରିରେ ଥିବା କମ୍ୟୁନିଟି ସେଣ୍ଟରରେ ଡ୍ରାଇନ୍ ଇନ୍ ଟିକାକରଣ କରାଯିବ । ଏଠାରେ ୯ଟାରୁ ୧୦ଟା ଯାଏ ୧୮ରୁ ୪୪ ବର୍ଷ ଓ ୪୫ ବର୍ଷରୁ ଅଧିକଙ୍କୁ ପ୍ରଥମ ଡୋଜ୍ ଦିଆଯିବ । ସେହିଭଳି ଅପରାହ୍ନ ୩ଟାରୁ ୬ଟା ଯାଏ ୪୫ ବର୍ଷରୁ ଅଧିକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ ।