ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ତାରିଖ ଘୋଷଣା କଲା ଆଇସିସି
ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ତାରିଖ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ଦ୍ବିତୀୟ ସଂସ୍କରଣ ଲଣ୍ଡନ ସ୍ଥିତ ଦି ଓଭାଲ୍ରେ ଖେଳାଯିବ । ଆସନ୍ତା ଜୁନ ୭ରୁ ୧୧ ତାରିଖ ଯାଏଁ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବା ନେଇ ବୁଧବାର ଘୋଷଣା କରିଛି ଆଇସିସି ।
ଏହା ସହିତ କୌଣସି ବାଧା ଉପୁଜିଲେ ସେଥିପାଇଁ ଗୋଟିଏ ଦିନ ରିଜର୍ଭ ଡେ’ ମଧ୍ୟ ରଖାଯାଇଛି । ଅର୍ଥାତ୍ ଜୁନ ୧୨ ତାରିଖକୁ ରିଜର୍ଭ ଡେ’ ଭାବେ ନିଆଯାଇଛି ।
ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ର ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ନ୍ୟୁଜିଲାଣ୍ଡ । ସାଉଥଆମ୍ପଟନ୍ରେ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରି ବିଜୟୀ ହୋଇଥିଲା କିଓ୍ବି ଟିମ୍ । ଚଳିତ ସିଜିନରେ କିନ୍ତୁ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ତେଣୁ କଙ୍ଗାରୁ ଟିମ୍ ଡବ୍ଲ୍ୟୁଟିସି ଫାଇନାଲ ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫାଇନାଲ ଖେଳିବାର ସମ୍ଭାବନା ଅଧିକ ରହିଛି ସତ କିନ୍ତୁ ବର୍ଡର ଗାଭାସ୍କର ଟ୍ରଫି ଉପରେ ସବୁ କିଛି ନିର୍ଭର କରୁଛି । କାରଣ ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତକୁ ଜିତିବା ନିହାତି ଆବଶ୍ୟକ । ତାହା ହେଲେ ଯାଇ ଦଳ ଫାଇନାଲ ଖେଳିପାରିବ । ନଚେତ୍ ଶ୍ରୀଲଙ୍କା ଫାଇନାଲ ପ୍ରବେଶ ଦୌଡରେ ରହିଛି ।
ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ୭୫.୫୬ ପଏଣଟ ସହ ଟେବୁଲ ଟପ୍ରେ ରହିଛି । ସେହିଭଳି ଭାରତ ୫୮.୯୩ ପଏଣ୍ଟ ସହ ଦ୍ବିତୀୟ ଓ ଶ୍ରୀଲଙ୍କା ୫୩.୩୩ ପଏଣ୍ଟ ସହିତ ଫାଇନାଲ ଦୌଡରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ୪୮.୭୨% ସହ ୪ର୍ଥ ସ୍ଥାନରେ ରହିଛି । କିନ୍ତୁ ଫାଇନାଲ ଦୌଡରୁ ବାଦ୍ ପଡିଛି । ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିବାକୁ ହେଲେ ବର୍ଡର ଗାଭାସ୍କର ଟ୍ରଫିରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଅତି କମରେ ୨-୦ ରେ ପରାସ୍ତ କରିବାକୁ ହେବ । ଉଭୟ ଦଳ ମଧ୍ୟରେ ୪ଟିକିଆ ଟେଷ୍ଟ ଖେଳାଯିବ ।