ନୂଆ ସଂସଦ ଭବନର ଉଦଘାଟନ ରାଜନୀତି ଏବେ ଓଡିଶାରେ, କଂଗ୍ରେସର ଏଭଳି ପ୍ରଶ୍ନର ଉତ୍ତର ରଖିଲା ବିଜେଡି
ଦୁଇ ଦିନ ପରେ ରବିବାର ନୂଆ ସଂସଦ ଭବନର ଉଦଘାଟନ ସମାରୋହ । ଦିନ ସମୟ ଯେତେ ପାଖଉଛି, ସମାରୋହ ଉତ୍ସବକୁ ନେଇ ରାଜନୀତି ସେତେ ତେଜୁଛି । ସମର୍ଥନରେ ଓ ବିରୋଧରେ ଏବେ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ଭାଗ ଭାଗ ହୋଇଛନ୍ତି । ପ୍ରାୟ ୨୦ଟି ଦଳ ଉତ୍ସବକୁ ବର୍ଜନ କରୁଥିବା ବେଳେ ୧୬ଟି ଦଳ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇ ସାରିଲେଣି ।
ଆଉ ଏହି ୧୬ ଦଳ ଭିତରେ ରହିଛି ଓଡ଼ିଶାର ଶାସକ ଦଳ ବିଜେଡି । ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ପରେ ଚିହିଁକି ଉଠିଛି ରାଜ୍ୟ କଂଗ୍ରେସ । କହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର । ରାଷ୍ଟ୍ରପତି ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ କରିବା ସହ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ଏବେ ଯେତେବେଳେ ରାଷ୍ଟ୍ରପତିଙ୍କୁ ନଡାକି ପ୍ରଧାନମନ୍ତ୍ରୀ ସଂସଦ ଭବନର ଉଦଘାଟନ କରୁଛନ୍ତି, ନବୀନଙ୍କ ଭଉଣୀ ପ୍ରୀତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ତାସହ ବିଜେପି ଓ ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟ ରହିଛି ବୋଲି କଂଗ୍ରେସ ବାରମ୍ବାର କହି ଆସୁଥିଲା, ତାର ପ୍ରମାଣ ପୁଣି ମିଳିଛି ବୋଲି କହିଛନ୍ତି ନରସିଂହ । ଏପଟେ ବିଜେଡି କହିଛି, ଏକ ସାମ୍ବିଧାନିକ ଉତ୍ସବକୁ ନେଇ ରାଜନୀତି ହେବା କଥା ନୁହେଁ । ବିଜେଡି ସମ୍ବିଧାନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ । ଆଉ କେନ୍ଦ୍ର ସରକାରଙ୍କୁ ଦଳ ବିଭିନ୍ନ ସମୟରେ ଓଡ଼ିଶାର ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରସଙ୍ଗ ଭିତିକ ସମର୍ଥନ ଦେଇଆସିଛି ।