ସମୁଦ୍ର ମଝିରେ ଜରୁରୀକାଳୀନ ଅବତରଣ କଲା ପୱନହଂସ; ୪ ମୃତ
ସମୁଦ୍ର ମଝିରେ ଉଦ୍ଧାର ବେଳେ ଅଘଟଣ । ଚାଲିଗଲା ୪ ଜଣଙ୍କ ଜୀବନ । ଆରବ ସାଗରରେ ପୱନହଂସର ଜରୁରୀକାଳୀନ ଅବତରଣ ପରେ ଏଭଳି ଅଭାବନୀୟ ଅଘଟଣ ଘଟିଛି । ମୃତକମାନେ ହେଲେ ଓଏନଜିସିର ଅଧିକାରୀ ମୁକେଶ ପଟେଲ, ବିଜୟ ମାଣ୍ଡଲୋଇ, ସତ୍ୟମ୍ବାଦ ପାତ୍ର ଓ ଜଣେ କଣ୍ଟ୍ରାକ୍ଟର ସଞ୍ଜୁ ଫ୍ରାନ୍ସିସ । ୪ ଜଣଙ୍କୁ ଭାରତୀୟ ବାୟୁସେନାର ହେଲିକପ୍ଟର ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଭାଗ୍ୟବଶତଃ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଓଏନଜିସି ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଛି ।
ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଓଏନଜିସି । ଆଜି ସକାଳେ ଓଏନଜିସି ହେଲିକପ୍ଟର ଆରବ ସାଗରରେ ଜରୁରୀ ଅବତରଣ ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ । ଦୁର୍ଘଟଣା ପରେ ଓଏନଜିସି ରିଗ ସାଗର କିରଣ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଷ୍ଟାଣ୍ଡବାଏ ଭେସେଲ ମାଲବୀୟ ୧୬ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରିଥିଲା ।
ମୁମ୍ବାଇ ଉପକୂଳ ନିକଟରେ ସମୁଦ୍ର ମଝିରେ ଖସି ପଡିଥିଲା ପୱନହଂସ । ତେବେ କିଛି ସମୟ ପାଣିରେ ଭାସିଥିଲା ପୱନହଂସ । ଠିକ ସମୟରେ ଉଦ୍ଧାରକାରୀ ଦଳ ପହଞ୍ଚି ହେଲିକପ୍ଟରରେ ଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ପାଗ ଅନୁକୂଳ ନଥିବାରୁ ଉଦ୍ଧାରକାରୀ ଟିମକୁ ନାକେଦମ ହେବାକୁ ପଡିଥିଲା ।