ଝାରସୁଗୁଡ଼ା ନିର୍ବାଚନ; ସମସ୍ତ ବୁଥ୍ରେ ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା
ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ବୁଥ୍ରେ ଏଥର ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା କରାଯିବ । ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ôଥକ ସହାୟତା ଭୋଟର୍ଙ୍କୁ ଯଚାଯାଇ ପାରିବନାହିଁ । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ୍ ବାନ୍ଧି ରାତି ୧୦ ଘଟିକା ଠାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ ବଳବତ୍ତର ଥିବାବେଳେ କୌଣସି ପ୍ରକାରର ଅନୁଦାନ ଯଥା ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ । ପୂର୍ବରୁ ଚାଲୁ ରହିଥିବା ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିବ । ନୂତନ ପ୍ରକଳ୍ପକାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ । ଏଥିରେ ଉଲ୍ଲଂଘନ ହେଲେ କାର୍ଯ୍ରାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ଚେତାବନୀ ଦେଇଛନ୍ତି । ଶୁକ୍ରବାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ସିଇଓ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ କରିଛନ୍ତି ।
ଭାରତ ନିର୍ବାଚନ ଆୟୋଗଙ୍କ ଉପନିର୍ବାଚନ ଘୋଷଣା ଅନୁସାରେ ଅପ୍ରେଲ ୧୩ରେ ଗେଜେଟ୍ ନୋଟିଫିକେସନ୍ ଅପ୍ରେଲ ୨୦ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ଅପ୍ରେଲ ୨୧ରେ ନାମାଙ୍କନ ପତ୍ର ଯାଞ୍ଚ, ଅପ୍ରେଲ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ମଇ ୧୦ରେ ଭୋଟ ଗ୍ରହଣ, ମଇ ୧୩ରେ ଭୋଟ ଗଣନା କରାଯିବା ସହ ମଇ ମାସ ୧୫ ସୁଦ୍ଧା ଉପନିର୍ବାଚନ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ପ୍ରାଞ୍ଜଳ ଭାବେ ଅବଗତ କରାଇଛନ୍ତି । ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁକରାଯାଇଛି । ଏଥର ସବୁ ବୁଥ୍ରେ ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ । ଉପନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯେଉଁସବୁ ଗାଡ଼ି ବ୍ୟବହାର କରିବେ, ପୂର୍ବରୁ ସେମାନେ ଜିଲ୍ଲାନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେଇ ନିର୍ବାଚନ ପ୍ରଚାରରେ ଗାଡ଼ି ବ୍ୟବହାର କରିପାରିବେ ।
ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ନିମନ୍ତେ ନିର୍ବାଚନ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସହଯୋଗ କରିବେ । ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅତିକମ୍ରେ ତିନିଥର ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରିବେ ଏବଂ ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସେମାନଙ୍କ ପ୍ରାର୍ଥୀମାନଙ୍କ ଅପରାଧ ସଂପର୍କରେ ଗଣମାଧ୍ୟମରେ ଅତିକମ୍ରେ ତିନିଥର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପ୍ରଚାର ପ୍ରସାର କରାଇ ଜନସାଧାରଣଙ୍କୁ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ସିପିରୁ ବିକ୍ରମ ସ୍ୱାଇଁ, ବହୁଜନ ସମାଜ ପାର୍ଟିରୁ ମଧୁସୂଦନ ଯାଦବ, ସିପିଏମର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ଭାରତୀୟ ଜନତା ପାର୍ଟିର ସଜ୍ଜନ ଶର୍ମା ଓ ବିଜେପି ଓଡ଼ିଶା ଶାଖାର ଉପସଭାପତି ଅନୀତା ଶୁଭଦର୍ଶିନୀ ଓ ଠାକୁର ରଞ୍ଜିତ୍ ସିଂହ, ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।