ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର
ରାଜ୍ୟବାସୀଙ୍କୁ ଖୁସି ଖବର ଦେଲେ ସରକାର। ରାଜ୍ୟରେ ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର। ପୂର୍ବଭଳି ପ୍ରଥମ ୫୦ ୟୁନିଟ୍ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି। ୫୦ରୁ ୨୦୦ ୟୁନିଟ୍ ପାଇଁ ୟୁନିଟ ପିଛା ଦର ୪ ଟଙ୍କା ରହିଛି। ସେହିପରି ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ ଟଙ୍କା ୮୦ ଧାର୍ଯ୍ୟ କରାଯାଇଛି। ଠିକ୍ ସେହିପରି ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ ଟଙ୍କା ୨୦ ଧାର୍ଯ୍ୟ କରାଯାଇଛି।
ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁହେବ ବୋଲି ଓଇଆର୍ସି ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଡିଜିଟାଲ ପେମେଣ୍ଟ କଲେ LT ଉପଭୋକ୍ତା ଓ ଜେନେରାଲ୍ ଉପଭୋକ୍ତାଙ୍କୁ ୪% ରିହାତି ଦିଆଯିବ। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ଦିଆଯିବ। ଓଡ଼ିଶାରେ ରେଳ ବିକାଶ ପାଇଁ ରେଲୱେକୁ ୟୁନିଟ୍ ପିଛା ୨୫ ପଇସା ରିହାତି ଦିଆଯାଇଛି। ଘରୋଇ ଉପଭୋକ୍ତାମାନଙ୍କ ଉପରେ ଲାଗୁଥିବା ଜରିମାନା(ଡିପିଏସ୍)କୁ ଛାଡ଼ କରିଦିଆଯାଇଛି। ଆଗରୁ ଠିକ୍ ସମୟରେ ଅର୍ଥ ଜମା ନକଲେ ଯେଉଁ ଜରିମାନା ଲାଗୁଥିଲା, ତାହା ଆଉ ଲାଗିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।