ରାସ୍ତାରୁ ହଟିବେ ବୁଲା କୁକୁର
ରାସ୍ତାରୁ ହଟିବେ ବୁଲା କୁକୁର । ବୁଲା କୁକୁରଙ୍କୁ ହଟାଇବା ନେଇ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହାସହ ରାଜ୍ୟରେ ବୁଲା କୁକୁର ବନ୍ଧ୍ୟାକରଣକୁ ମଧ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ହାଇଦ୍ରାବାଦରେ ବୁଲା କୁକୁର ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁକୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଆଉ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଛି । କିଛି ଦିନ ତଳେ ପଟିଆରେ କୁକୁର ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲା । ଏହାବ୍ୟତୀତ ଗାଡ଼ି ଆଗକୁ କୁକୁର ଆସିବା ଦ୍ୱାରା ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।