ୟୁଏଇରେ ଟି୨୦ ବିଶ୍ୱକପ ହୋଇପାରେ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ଟି୨୦ ବିଶ୍ୱକପ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଛି । ଭାରତରେ କରୋନା ବିପଦ ଟଳିନଥିବାରୁ ବିସିସିଆଇ ଏପରି ଯୋଜନା କରୁଛି । ଟି୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରାଯିବା ସମ୍ପର୍କରେ ବିସିସିଆଇ ସଚିବ ଜୟ ଶାହା ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତରେ କରୋନା ସ୍ଥିତିରେ ଉନ୍ନତି ଆସିଥିଲେ ବି ୩ୟ ଲହର ଆସିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ୟୁଏଇରେ ବିଶ୍ୱକପ ଆୟୋଜନ ପାଇଁ ବିଚାର କରାଯାଉଛି ଓ ଖୁବ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଆମେ ସ୍ଥିତି ଉପରେ ନଜର ରଖିଛୁ ଓ ଖେଳାଳିମାନଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ପ୍ରାଥମିକତା ଦିଆଯାଉଛି । ଟି-୨୦ ବିଶ୍ୱକପ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ । ଏହାର ଫାଇନାଲ ନଭେମ୍ବର ୧୪ରେ ହେବା ନେଇ କ୍ରୀଡାସୂଚୀ ଘୋଷଣା ହୋଇଛି ।