ଖାଦ୍ୟ ଶସ୍ୟ ସଂଗ୍ରହ ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ନେଇ କେନ୍ଦ୍ରକୁ ଟାର୍ଗେଟ କଲା ରାଜ୍ୟ

0

ଖାଦ୍ୟ ଶସ୍ୟ ସଂଗ୍ରହ ବ୍ୟବସ୍ଥାରେ ଉପୁଜୁଥିବା ସମସ୍ୟା ନେଇ କେନ୍ଦ୍ରକୁ ଟାର୍ଗେଟ କରିଛି ରାଜ୍ୟ । ବକେୟା ସବସିଡି ଟଙ୍କା ନ ମିଳିବାରୁ କିଭଳି ପୂରା ବ୍ୟବସ୍ଥା ପ୍ରଭାବିତ ହେଉଛି, ତାହା ଜଣାଇଛି ରାଜ୍ୟ । ଏ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଚିଠି ମାଧ୍ୟମରେ ଶ୍ରୀ ନାୟକ ବକେୟା ସବସିଡି ଅର୍ଥ ଶୀଘ୍ର ଦେବାକୁ ଦାବି କରିଛନ୍ତି ।

ଚିଠିରେ ରାଜ୍ୟ ସରକାର ଦର୍ଶାଇଛନ୍ତି, ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସହ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ଯୋଗାଣ ନିଗମ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି । ମାତ୍ର ଧାନ କିଣା ପାଇଁ ଯେଉଁ ସବସିଡି ଅର୍ଥ କେନ୍ଦ୍ରରୁ ମିଳିବା କଥା, ସେଥିରେ ବିଳମ୍ବ ହେଉଛି । ତେଣୁ ଚାଷୀଙ୍କଠାରୁ ଧାନ କିଣିବା, ମିଲରକୁ ଧାନ ଦେଇ ଚାଉଳ ପ୍ରସ୍ତୁତ କରିବା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ସେମାନଙ୍କୁ ଧାର୍ଯ୍ୟ ଟଙ୍କା ଦେବାରେ ସମସ୍ୟା ହେଉଛି ।

ଖାଦ୍ୟ ଶସ୍ୟ କ୍ରୟ ପାଇଁ କେନ୍ଦ୍ରରୁ ୨୦୨୨-୨୩ରେ ୧୪ ହଜାର ୨୪୯ କୋଟି ଟଙ୍କା ସବ୍‌ସିଡି ମିଳିବାକୁ ବାକି ଅଛି । ଅନ୍ୟପକ୍ଷରେ ମିଲରଙ୍କୁ ଧାନ ଦେବା ପରେ ଯାଞ୍ଚ ପାଇଁ କେନ୍ଦ୍ରୀୟ ଟିମ୍‌ ଆସିବାରେ ବିଳମ୍ବ ହେଉଛି । ଠିକ୍‌ ସମୟରେ ଅନୁଧ୍ୟାନ ନହେବାରୁ ସମସ୍ୟା ଉପୁଜୁଛି । ଏଥିଯୋଗୁ ଯୋଗାଣ ନିଗମ ଉପରେ ଆର୍ଥିକ ବୋଝ ବଢ଼ୁଛି । ଯଥାଶୀଘ୍ର ବକେୟା ସବସିଡି ଅର୍ଥ ଦେବାକୁ ଚିଠି ମାଧ୍ୟମରେ ଦାବି କରାଯାଇଛି ।

Leave a comment