୧୧ ଦିନ ପରେ ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

0

ପ୍ରଭୁ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ୧୧ ଦିନର ଉପବାସ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀଙ୍କୁ ଚରଣାମୃତ ପିଆଇ ଉପବାସ ଭଙ୍ଗ କରିଛନ୍ତି। ଏଥିସହିତ ମୋଦୀଙ୍କ ଭକ୍ତିକୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଶଂସା ମଧ୍ୟ କରିଛନ୍ତି।

ପ୍ରାଣ ପ୍ରତିଷ୍ଠା ଶେଷ ପର୍ଯ୍ୟନ୍ତ ୧୧ ଦିନିଆ ଉପବାସ ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨ ତାରିଖରେ ଘୋଷଣା କରିଥିଲେ। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏହି ଘୋଷଣା କରିବା ସହ ଏହି ବେଳର ଦୃଶ୍ୟ ତାଙ୍କୁ ଦେଖିବାକୁ ସୁଯୋଗ ମିଳିଥିବାରୁ ଏହା ତାଙ୍କର ସୌଭାଗ୍ୟ ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିରର ଗର୍ଭ ଗୃହରେ ଯାଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ମୋହନ ଭାଗବତ ଥିଲେ ବୋଲି ଜଣାପଡ଼ିଛି।

ସୋମବାର ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମ୍ବୋଧନ କଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଭାବପ୍ରବଣ ହୋଇଯାଇଥିଲେ। ସେ କହିଛନ୍ତି ଯେ ୨୦୨୪ ଜାନୁଆରୀ ୨୨ କେବଳ ଏକ ତାରିଖ ନୁହେଁ ବରଂ ଏକ କାଳଚକ୍ରର ଉଦ୍ରେକ ଅଟେ । ରାମ ମନ୍ଦିରର ଭୂମି ପୂଜନ ପରଠାରୁ ପ୍ରତିଦିନ ସାରା ଦେଶରେ ଉତ୍କଣ୍ଠା ଏବଂ ଉତ୍ସାହ ବଢିଥିଲା । ଆଜି ଆମ ଶ୍ରୀରାମଙ୍କୁ ମନ୍ଦିର ମିଳିଛି । ପରାଧୀନତାର ମାନସିକତାକୁ ଭାଙ୍ଗି ବଢୁଥିବା ରାଷ୍ଟ୍ର ନୂଆ ଇତିହାସର ସୃଜନ କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାମଙ୍କ କାମ ହନୁମାନଙ୍କ ବିନା କେବେ ବି ସମ୍ଭବ ନୁହେଁ । ଏଥିପାଇଁ ହନୁମାନ ଜୀ, ମାତା ଜାନକୀ ଏବଂ ଳକ୍ଷ୍ମଣ ଜୀଙ୍କୁ ପ୍ରଣାମ କରୁଛି । ମୁଁ ଆଜି ଦୈବୀୟ ଅନୁଭବ କରୁଛି, ଯେଉଁମାନଙ୍କ ମହାନ ତ୍ୟାଗରୁ ଏହି କାର୍ଯ୍ୟ ପୂର୍ଣ୍ଣ ହୋଇଛି, ସେମାନେ ବି ଆଜି ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି । ମୁଁ ସେହି ସମସ୍ତଙ୍କୁ ପ୍ରଣାମ କରୁଛି । ଆଜିଠାରୁ ଏକ ହଜାର ବର୍ଷ ପରେ ବି ଏହି ତାରିଖକୁ ଲୋକେ ମନେ ରଖିବେ । ଏହି ମୁହୂର୍ତ୍ତ ଉପରେ ଚର୍ଚ୍ଚା କରିବେ । ଏହା ରାମଙ୍କ ଅପରାକୃପା ଯେ ଆମେ ସମସ୍ତେ ଏହି ମୁହୂର୍ତ୍ତକୁ ଦେଖୁଛୁ।

 

Leave a comment