କ୍ୟାବିନେଟରୁ ଇସ୍ତଫା ଦେଲେ ନିଶଙ୍କ, ଗଙ୍ଗଓ୍ଵାର ଓ ସଦାନନ୍ଦ ଗୌଡା
ନରେନ୍ଦ୍ର ମୋଦୀ କ୍ୟାବିନେଟରେ ବଡ ଧରଣର ଅଦଳବଦଳ ଏବଂ ସଂପ୍ରସାରଣର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ପଦରୁ ହଟା ଯାଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ରହିବା କାରଣରୁ ତାଙ୍କୁ ମନ୍ତ୍ରି ପଦରୁ ହଟାଯାଉଥିବା କୁହାଯାଉଛି। ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସଦାନନ୍ଦ ଗୌଡାଙ୍କୁ ମଧ୍ୟ କ୍ୟାବିନେଟରୁ ଛୁଟି ଦିଆଯାଇଛି।
ସନ୍ଧ୍ୟା ୬ଟାରେ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ନୂତନ ମନ୍ତ୍ରୀଙ୍କ ପାଇଁ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ। ମୋଦୀ ସରକାରଙ୍କ କ୍ୟାବିନେଟ୍ ସଂପ୍ରସାରଣରେ ୧୯ ନୂତନ ଚେହେରା ସାମିଲ କରାଯାଇପାରେ। ଏଥି ସହ ମନ୍ତ୍ରିପରିଷଦର ସଂଖ୍ୟା ୫୩ରୁ ବୃଦ୍ଧି ପାଇ ୭୨ ହେବ। କ୍ୟାବିନେଟ୍ ଅଦଳ ବଦଳରେ କିଛି ମନ୍ତ୍ରୀଙ୍କ ଗୁରୁତ୍ଵ ଆହୁରି ବଢାଇ ଦିଆଯାଇପାରେ। ଏଥିରେ ପ୍ରମୁଖ ନାମ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନାମ ରହିଛି।
କ୍ୟାବିନେଟ୍ ସଂପ୍ରସାରଣରେ ଆସନ୍ତା ବର୍ଷ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେହି ରାଜ୍ୟଗୁଡିକ ପ୍ରତି ବିଶେଷ ଗୁରୁତ୍ଵ ଦିଆଯାଇଛି। ଯୁବ ଚେହେରା ସାମିଲ କରାଯିବା ସହ ଜାତିଗତ ସମୀକରଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି। ମୋଦୀ କ୍ୟାବିନେଟର ବିସ୍ତାରରେ ଚୂଡାନ୍ତ ମୋହର ବାଜିବା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଛୁଟି ହୋଇଛି। ବିଶେଷ ସୂତ୍ର ଅନୁଯାୟୀ, ଏବେ ତାଙ୍କ ସ୍ଥାନରେ ଅଜୟ ଭଟ୍ଟଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇପାରେ। ଅନ୍ୟପଟେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପଦୋନ୍ନତି ମିଳିପାରେ। ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦିଆଯାଇପାରେ।