ଖଣ୍ଡା ଚୋଟରେ ସରପଞ୍ଚଙ୍କ ସମେତ ୬ ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗ୍ରାମରେ ବିଳମ୍ବିତ ରାତିରେ ରକ୍ତାକ୍ତ ସଂଘର୍ଷ । ବ୍ରାହ୍ମଣଛାଇ ସରପଞ୍ଚ ସତ୍ୟନାରାୟଣ ପୃଷ୍ଟିଙ୍କ ସମେତ ୬ ଜଣ ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଛନ୍ତି । ଗ୍ରାମର ପଞ୍ଚୁଦୋଳ ସାହିରେ ରାତି ପ୍ରାୟ ୧୧ଟା ବେଳେ ସଂଘର୍ଷ ଘଟିଛି । ପ୍ରଥମେ ଗ୍ରାମର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେବାପରେ ଉଭୟ ପକ୍ଷ ମଧ୍ୟରେ ସଶସ୍ତ୍ର ସଂଘର୍ଷ ଘଟିଥିଲା । ଆହତ ସରପଞ୍ଚ ସତ୍ୟନାରାୟଣଙ୍କ ସମେତ ସ୍ଵରାଜ୍ୟ ପ୍ରଧାନ, ଚନ୍ଦନ ପ୍ରଧାନ, କୃଷ୍ଣ ପ୍ରଧାନ, ଶିବ ପ୍ରଧାନ ଓ ସମୀର ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ସମସ୍ତଙ୍କୁ ହିଞ୍ଜିଳି ପୋଲିସ ଉପସ୍ଥିତିରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଉଛି ।
ସୂଚନାଯୋଗ୍ୟ ଯେ, ପ୍ରାୟ ୨ ମାସ ତଳେ ଗ୍ରାମର ଦୁଇ ପ୍ରେମୀଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ କିଛି ବ୍ୟକ୍ତି ଉଦ୍ଧାର କରି ଥାନାର ଜିମା ଦେଇଥିଲେ । ସେମାନଙ୍କୁ ଥାନାରେ ଅଟକ ରଖି ଗ୍ରାମର ଭଦ୍ରବ୍ୟକ୍ତି ଓ ଉଭୟ ପରିବାର ଲୋକ ଥାନାରେ ପହଞ୍ଚିଥିଲେ । ହିଞ୍ଜିଳି ଥାନାରେ ଗ୍ରାମବାସୀ ଓ ଉଭୟ ପରିବାରଙ୍କ ଉପସ୍ଥିତିରେ ମାମଲାର ସମାଧାନ ହୋଇଥିଲା । ବୁଧବାର ରାତିରେ ଏହି ଘଟଣାକୁ ନେଇ ଉଭୟ ପୁଅ ଓ ଝିଅ ଘର ସମର୍ଥିତ ଗୋଷ୍ଠୀ ମଧ୍ୟରେ ବଚସା ଓ ଯୁକ୍ତତର୍କରୁ ଗଣ୍ଡଗୋଳ ଆରମ୍ଭ ହେଲା । କିଛି ବ୍ୟକ୍ତି ଗ୍ରାମର ବିଦ୍ୟୁତ ସଂଯୋଗ କାଟି ଦେଇ ଖଣ୍ଡା, କାତି ଧରି ଅନ୍ଧାରରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏ ସମୟରେ ଖବରପାଇ ସରପଞ୍ଚ ପହଞ୍ଚି ଗଣ୍ଡଗୋଳ ସମାଧାନ କରିବାକୁ ଯାଇ ସେ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ ।