ବାଜିଲା ବିଗୁଲ, ଫେବ୍ରୁଆରୀ ୧୬ରୁ ଆରମ୍ଭ, ପାଞ୍ଚଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଛି । ବିରୋଧୀଙ୍କ ବିରୋଧ ସତ୍ତ୍ୱେ ମଙ୍ଗଳବାର ନିର୍ବାଚନ କମିଶନ ଭୋଟ ଗ୍ରହଣ ନେଇ ତାରିଖ ପ୍ରକାଶ କରିଛନ୍ତି । ଏଥିସହିତ କଟକଣା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ଆଚରଣବିଧି ଲାଗୁ ହେଲା। ଏହା ଫେବ୍ରୁଆରି୨୮ ତାରିଖ ଯାଏ ବଳବତ୍ତର ରହିବ।

ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ଆଦିତ୍ୟ ପାଢି କହିଛନ୍ତି ଯେ, ଆସନ୍ତ ଫେବୃଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ରଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟ ଗ୍ରହଣ କରାଯିବ । ଏହି ସମୟରେ କୋଭିଡ଼ ଗାଇଡ ଲାଇନକୁ କଡାକଡି ପାଳନ କରାଯିବ । ଦେଶର ୫ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ଯେଉଁ କଟକଣା ଜାରି କରାଯାଇଛି, ସେହିଭଳି କଟକଣା ରାଜ୍ୟରେ ପାଳନ କରାଯିବ । ନିର୍ବାଚନ ସମୟରେ କୌଣସି ଶୋଭାଯାତ୍ରା, ସମ୍ମିଳନୀ ଓ ବାଇକ ର‌୍ୟାଲି କରାଯାଇପାରିବ ନାହିଁ ।

ରାଜ୍ୟରେ ମୋଟ୍ ୯୧, ୯୧୩ଟି ୱାର୍ଡରେ ନିର୍ବାଚନ ହେବ। ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ପାଇଁ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ଭୋଟ ଗ୍ରହଣ ସମୟକୁ ଏକ ଘଂଟା ବୃଦ୍ଧି କରାଯାଇଛି । ପୂର୍ବରୁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଉଥିବା ବେଳେ ଚଳିତ ଥର ଦିନ ଗୋଟାଏ ଯାଏ ବୃଦ୍ଧି କରାଯାଇଛି । ଭୋଟ ଗଣତି ଜିଲ୍ଲା ମହକୁମାରେ ହେବ । ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗ୍ରହଣ କରାଯିବ । ଭୋଟ ସମୟରେ କମିଶନଙ୍କ ପକ୍ଷରୁ ଏକ କଂଟ୍ରୋଲ ରୁମ ମଧ୍ୟ ଖୋଲା ଯାଇଛି । ଏଥିପାଇଁ ଦୁଇଟି ନମ୍ବର ଜାରି କରାଯାଇଛି । ସେହିପରି ମିଥ୍ୟା ସତ୍ୟପାଠ ଦାଲଖ କରିଥିବା ପ୍ରାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତିି ନିଆଯାଇଛି । ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି ୨ କୋଟି ୭୯ ଲକ୍ଷ।ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର, ସମିତି ସଭ୍ୟ ପାଇଁ ୧୯ ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାରର ଚିହ୍ନ ଜାରି ହୋଇଛି। ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ବ୍ୟବହାର ହେବ। ଏଣେ ଏଥର ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ବି ବଢ଼ିଛି। ସରପଞ୍ଚ/ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ୮୦ ହଜାରରୁ ବଢ଼ି ୨ ଲକ୍ଷ ହୋଇଛି ଖର୍ଚ୍ଚ ସୀମା। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୨ ଲକ୍ଷରୁ ବୃଦ୍ଧି ହୋଇ ୫ଲକ୍ଷ ଟଙ୍କା ହୋଇଛି। ୨୦୧୭ର ପଞ୍ଚାୟତ ନିର୍ବାଚନରେ ୮୫୧ ଜିଲ୍ଲା ପରିଷଦ ଜୋନରେ ହୋଇଥିଲା ନିର୍ବାଚନ। ଏଥିମଧ୍ୟରୁ ୪୭୩ଟିରେ ବିଜେଡି ଜିତିଥିବା ବେଳେ ବିଜେପି ୨୯୭ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା। ଅପରପକ୍ଷରେ କଂଗ୍ରେସ ୬୬ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା। ୨୦୧୭ରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା।

Leave a comment