ସନ୍ଦେହରେ ସଚିବଙ୍କ ବଦଳି ଆଦେଶ, ବିଜ୍ଞପ୍ତିରେ ବ୍ୟାପକ ଅନୀୟମିତତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୫ ତାରିଖରେ ପରିବହନ ସଚିବଙ୍କ ପତ୍ର ସଂଖ୍ୟା ୭୧୫୧ ଅନୁଯାୟୀ ଏକ ବଦଳି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ୪ ଜଣ ଆଡିସନାଲ୍ ଆର୍‌ଟିଓଙ୍କୁ ବଦଳି କରାଯାଇଛି । ହେଲେ ଉକ୍ତ ବିଜ୍ଞପ୍ତିରେ ବ୍ୟାପକ ଅନୀୟମିତତା ଥିବା କଥା ସ୍ପଷ୍ଟ ବାରି ହୋଇପଡୁଛି । ଏହି ବଦଳି ଆଦେଶରେ କେ.ଭେଙ୍କେଟେସ ଆଡିସନାଲ ଆର୍‌ଟିଓଙ୍କୁ ରାଇରଙ୍ଗପୁରରୁ ପୁଣି ଗଞ୍ଜାମ(ଛତ୍ରପୁର)କୁ ପୁନଃବଦଳି କରାଯାଇଛି ।

ସୂଚନାଥାଉ କି, ଏହା ପୂର୍ବରୁ ଗତ ଏପ୍ରିଲ ୧୩ ତାରିଖରେ ପତ୍ର ସଂଖ୍ୟା ୩୯୪୩ରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଉ ଏକ ବଦଳି ଚିଠି ପ୍ରକାଶ ପାଇଥିଲେ । ଯେଉଁଥିରେ ଭେଙ୍କେଟେସଙ୍କୁ ଗଞ୍ଜାମ ଆଡିସନାଲ୍ ଆର୍‌ଟିଓ ପଦରେ ରାଇରଙ୍ଗପୁରକୁ ବଦଳି କରାଯାଇଥିଲା । ସେତେବେଳେ ଭେଙ୍କେଟେସ୍ ରାୟଗଡ଼ାରୁ ଡେପୁଟେସନେ ଆସି ଗଞ୍ଜାମରେ କାର୍ଯ୍ୟ କରୁଥିଲେ । ରାଇରଙ୍ଗପୁର ଯିବା ପୂର୍ବରୁ ସେ ୨ ବର୍ଷ ଗଞ୍ଜାମ ଆର୍‌ଟିଓରେ କାର୍ଯ୍ୟ କରୁଥିଲେ । ଭେଙ୍କେଟେସଙ୍କ ଘର ମଧ୍ୟ ଛତ୍ରପୁର । ତେବେ ଗଞ୍ଜାମରୁ ଯିବାର ମାତ୍ର ମାସେ ୧୩ ଦିନ ପରେ ଭେଙ୍କେଟେସଙ୍କୁ ପୁଣି ସେଠାକୁ କାହିଁକି ଫେରାଇ ଅଣାଗଲା ଏହା ପଛରେ କାରଣ କଣ ରହିଛି ବୋଲି ତାହା ଏବେ ଖାରବେଳ ଭବନ ସ୍ଥିତ ପରିବହନ ବିଭାଗର ଅଧିକାରୀଙ୍କ ଭିତରେ ଆଲୋଚନା ଚାଲିଛି । କେତେଜଣ ଅଧିକାରୀଙ୍କ କହିବା କଥା କମିଶନରଙ୍କ କାର୍ଯ୍ୟାଳୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ବଦଳି ଆଦେଶ ବାହାର କରିବାକୁ ଏକାଧିକ ଥର ବିଭାଗକୁ ଆସିଛନ୍ତି ।

ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ଆଡିସନାଲ୍ ଆର୍‌ଟିଓ ପଦବୀରେ ବଦଳି କରିବା କାମ ପରିବହନ ସଚିବଙ୍କ ହାତରେ ନ୍ୟସ୍ତ ଅଛି । ଆର୍‌ଟିଓ କାର୍ଯ୍ୟାଳୟ ଗୁଡିକ ପରିବହନ ଭଳି ଏକ ଦୁଧିଆଳି ବିଭାଗ ଅଧିନରେ ଆସୁଛି । ଏକଥା ମଧ୍ୟ କାହାକୁ ଅଛପା ନାହିଁ । ବାରମ୍ବାର ୫-ଟି ନାରା ଦେଉଥିବା ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ କେଉଁ ବିହିତ ସ୍ୱାର୍ଥ ରଖି ଜଣେ ଆଡିସନାଲ୍ ଆର୍‌ଟିଓଙ୍କୁ ଏକାଧିକ ଥର ତାଙ୍କ ନିଜ ଜିଲାରେ ନିଯୁକ୍ତି ଦେଉଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟରେ ଆହୁରି ଅନେକ ଆଡିସନାଲ ଆରିଟିଓ ଥିବା ସତ୍ୱେ ସଚିବଙ୍କ ନଜର ଭେଙ୍କେଟେସଙ୍କ ଉପରେ ପଡିବାର କାରଣ ହୁଏତ କାହାକୁ ଅଛପା ନଥିବ ।

ମିଳିଥିବା ସୂଚନା ମୁତାବକ, ପରିବହନ କମିଶନରଙ୍କ କାର୍ଯ୍ୟାଳୟର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ହାତରେ ଏବେ କମିଶନରଙ୍କ ଚାବିକାଠି ପଡିଯାଇଛି । ଉକ୍ତ ଅଧିକାରୀ ଜଣକ ଦୀର୍ଘଦିନ ଗଞ୍ଜାମର ଆର୍‌ଟିଓ ଭାବେ କାର୍ଯ୍ୟ କରିସାରିଛନ୍ତି । ହେଲେ ସେବେଠାରୁ ଅଧିକାରୀ ଜଣଙ୍କ ନିଜ ନିୟନ୍ତ୍ରଣରେ ଗଞ୍ଜାମକୁ ରଖିବା ପାଇଁ ଚାହୁଁଛନ୍ତି । ସେଥିରେ ତାଙ୍କ କି ପ୍ରକାର ସ୍ୱାର୍ଥ ରହିଛି ସେ ବିଷୟରେ ଅନେକ ଲୋକଙ୍କୁ ଜଣେ ଥିଲେ ମଧ୍ୟ କେହି ସିଧାସଳଖ ମୁହଁ ଖୋଲି କମିଶନରଙ୍କ କ୍ରୋଧର ଶୀକାର ହେବାକୁ ଚାହୁନାହାନ୍ତି । ଏବେ ଗଞ୍ଜାମରେ କିଏ ନିଯୁକ୍ତି ପାଇବ କିଏ ହଟିବ ସେସବୁ କଥା ପୂର୍ବତନ ଆରଟିଓଙ୍କ ଇଚ୍ଛାଧୀନ କୋଟା ପାଲଟିଛି । ବହୁ କାର୍ଯ୍ୟ ବର୍ତ୍ତମାନ ସେ କମିଶନରଙ୍କ ମୁହଁରେ କୁହାଇ କରିବାରେ ସଫଳ ହୋଇଚାଲିଛନ୍ତି । ଯାହା ହେଉ ନା କାହିଁକି, ଏସବୁ କଥା ଯେ ସଚିବ ବୁଝିପାରୁ ନ ଥିବେ ସେକଥା କହିହେବ ନାହିଁ । ତେବେ ସଚିବ ଏବଂ କମିଶନର ଉଭୟ ଦକ୍ଷ ଅଫିସର ହୋଇଥିବା ବେଳେ କିପରି ଏସବୁ ବଦଳିରେ ସବୁ ବୁଝି ସାରିଲା ପରେ ଜଣଙ୍କୁ ବାରମ୍ବାର ନିଜ ଘରୋଇ ଜିଲା ଏବଂ ଗୋଟିଏ ସ୍ଥାନରେ ଏକାଧିକ ଥର ନିଯୁକ୍ତି ଦେବା ତାହା ବହୁ ବିଭାଗୀୟ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା କେବଳ ଗୋଟିଏ ଉଦ୍ଧାହରଣ । ଏହିଭଳି ଅନେକ ବଦଳିରେ ପୂର୍ବତନ ଗଞ୍ଜାମ ଆର୍‌ଟିଓଙ୍କ ମାତ୍ରାଧିକ ପ୍ରଭାବ ରହୁଥିବା ଚର୍ଚ୍ଚା ଏବେ ପରିବହନ ବିଭାଗ ଅଧିକାରୀ ଆଲୋଚନା କରୁଛନ୍ତି । ଭେଙ୍କେଟେସଙ୍କ ବଦଳି ଆଦେଶପରେ ସଚିବଙ୍କ କାର୍ଯ୍ୟ ଉପରେ ମଧ୍ୟ ଅନେକ ଅଧିକାରୀ ସନ୍ଦେହ ପ୍ରକଟ କରିଲେଣି ।

Leave a comment