ପୁଣିଥରେ ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ ଓ ଭିଡିଓ; ଏଥିସହ ଶ୍ରୀଜିଉଙ୍କ ଫଟୋ ମଧ୍ୟ ଭାଇରାଲ

0

କଡା ସୁରକ୍ଷା ଭିତରେ ବି ଭାଇରାଲ ହେଉଛି ଶ୍ରୀମନ୍ଦିରର ଭିତର ଫଟୋ । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟ କରିବା ସହ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଖାଲି ଶ୍ରୀମନ୍ଦିର ନୁହେଁ, ଆଡପ ମଣ୍ଡପରେ ବିଜେ ଶ୍ରୀବିଗ୍ରହଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଏତେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଏବଂ ଆଡପ ମଣ୍ଡପର ଫଟୋ ଭାଇରାଲ ହେଲା କିପରି ? ବାରଣ ସତ୍ତ୍ୱେ କିପରି ଭକ୍ତ ମନ୍ଦିର ଭିତରକୁ ମୋବାଇଲ ଫୋନ ନେଇ ଯାଉଛନ୍ତି ? ଯାଞ୍ଚ ବ୍ୟବସ୍ଥାରେ ଏପରି ଅବହେଳା କାହିଁକି ?

ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ବୁଲି ବୁଲି ଭିଡିଓ ସୁଟ କରିଛନ୍ତି ଏବଂ ଏହି ଭିଡିଓକୁ ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ରୋହିତ ଜୈସ୍ୱାଲ ଏବଂ ତାଙ୍କର ଘର ବାରାଣାସୀରେ ବୋଲି ଜଣାଯାଇଛି ।

ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ନ ନେବା ପାଇଁ କଡା ନିୟମ ଥିବାବେଳେ ସେ କିପରି ମୋବାଇଲ ନେଇ ଭିତରକୁ ଗଲେ ତାହା ଜଣାପଡି ନାହିଁ ।

ଅନ୍ୟପକ୍ଷେ ଗଜେନ୍ଦ୍ର ସେନାପତି ନାମକ ଜଣେ ଯୁବକଙ୍କ ମୋବାଇଲ୍‌ରୁ ଆଡ଼ପ ମଣ୍ଡପରେ ବିଜେ ଦାରୁଦିଅଁଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଆଲୋକ କୁମାର ଦାଶ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରି ଶ୍ରୀମନ୍ଦିର ପ୍ରଶାସନକୁ ଏ ନେଇ ଅଭିଯୋଗ କରିଛନ୍ତି । ସେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave a comment