ଦିଗପହଣ୍ଡି ବସ ଦୁର୍ଘଟଣା ଘଟଣା; ଶୋକ ପ୍ରକାଶ ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଘୋଷଣା କଲେ ମୋଦି
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଶୋକ ପ୍ରକାଶ କରିବା ସହିତ କ୍ଷତିପୂରଣ ମଧ୍ୟ ଘୋଷଣା କରାଯାଇଛି।
ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦିଆଯିବ। ଏସବୁ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ଘୋଷଣା କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଟ୍ୱିଟ୍ରେ ଲେଖାଯାଇଛି ” ଓଡ଼ିଶା ଗଞ୍ଜାମ ଜିଲ୍ଲା ବସ୍ ଦୁର୍ଘଟଣାରେ ମୁଁ ଦୁଃଖିତ। ଯେଉଁମାନେ ତାଙ୍କ ଆତ୍ମୀୟସ୍ୱଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଦୁର୍ଘଟଣାରେ ପ୍ରତ୍ୟୋକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଆହତଙ୍କୁ ୫୦,୦୦୦ ଦିଆଯିବ।”
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ୍ କରି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି “ଓଡ଼ିଶାର ଦିଗପହଣ୍ଡିରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ବହୁ ମୂଲ୍ୟବାନ ଜୀବନର କ୍ଷତିରେ ମର୍ମାହତ। ଏହି ଦୁଃଖର ଘଡ଼ିରେ, ମୋର ସମବେଦନା ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଅଛି। ମହାପ୍ରଭୁ ସେମାନଙ୍କୁ ସହିବାକୁ ଶକ୍ତି ଦିଅନ୍ତୁ। ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”