ପରଲୋକ ରେ ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ୮୭ ବର୍ଷରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ଘଟିଛି। ବଂଶୀଧର ୧୯୩୨ ମସିହା ନଭେମ୍ବର ୨୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଉଦ୍ୟମରେ ୧୯୬୧ ମସିହାରେ କୋରାପୁଟ ଜିଲ୍ଲାରେ ରାଜ୍ୟର ସର୍ବ ବୃହତ ଫେରୋ ଆଲଏଜ୍ କାରଖାନା-ଇମ୍ଫା ପ୍ରତିଷ୍ଠା ହୋଇଥିଲା। ଯାହା ଆଜି ସାରା ବିଶ୍ୱରେ ପରିଚିତ। ଶିଳ୍ପପତି ସହ ସେ ଏକାଧାରାରେ ଜଣେ ବୈଜ୍ଞାନିକ ମଧ୍ୟ ଥିଲେ।
୧୯୬୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ବଂଶୀଧରଙ୍କୁ ସେ ଆମନ୍ତ୍ରଣ କରିଥିଲେ।
ସେତେବେଳେ ସେ ଆମେରିକାର ନାସାରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଥିଲେ । ବଂଶୀଧର ବିଜୁ ବାବୁଙ୍କ ଆମନ୍ତ୍ରଣ ରକ୍ଷାକରି ନିଜ ଚାକିରି ଛାଡି ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବାକୁ ଫେରିଆସିଥିଲେ ।
୨୦୧୧ରେ ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ’ ପ୍ରତିଷ୍ଠାକରି ସେ ଏ ଦିଗରେ କାର୍ଯ୍ୟ ଜାରି ରଖିଥିଲେ। ତାଙ୍କ ପ୍ରଚେଷ୍ଟା ରେ ପ୍ରତିବର୍ଷ ଶାରଳା ପୁରସ୍କାର ଏବଂ ଏକଲବ୍ୟ ପୁରସ୍କାର ଆଦି ପ୍ରଦାନ
କରାଯାଉଛି।
ସେ ଖାଲି ଓଡ଼ିଶା ନୁହେଁ ଭାରତୀୟ ଶିଳ୍ପ ଜଗତରେ ଜଣେ ବେଶ୍ ଜଣାଶୁଣା ନାଁ ଥିଲେ। ସେ ଉତ୍କଳ ଚାମ୍ବର ଅଫ କମର୍ସର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କ ପରଲୋକରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନେକ ନେତା , ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ଆସିଥିଲେ।