କିଏ ଧରିବ ଧାମନଗରର ମଙ୍ଗ ? ନିଜର ମତ ଦେଉଛନ୍ତି ଧାମନଗରବାସୀ
କିଏ ହେବ ଧାମନଗର ନୂତନ ବିଧାୟକ ? ଏ ନେଇ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ମତଦାନ । ଯାହା ସଂଧ୍ୟା ୬ଟା ଯାଏଁ ଚାଲିବ। ମୋଟ ୨୫୨ବୁଥରେ ମତଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ସାଢେ ୫ଟାରେ ବିଭିନ୍ନ ବୁଥରେ ମକ ପୋଲିଂ କରାଯାଇଛି । ଏହା ପରେ ୭ଟା ରୁ ମତଦାନ ଆରମ୍ଭ ହୋଇଛି । ତେବେ ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।
ମତଦାତାମାଦେ ଭୋଟର ପରିଚୟ ପତ୍ର ଛଡ଼ା ୧୨ଟି ଅନ୍ୟ ଡକ୍ୟୁମେଣ୍ଟସ୍ ଦେଖାଇ ଭୋଟ୍ ଦେଇପାରିବେ।ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହାବାଦ ୪ କଂପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ୍ ଗ୍ରହଣ ଶେଷ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି ।
ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ଭାଗ୍ୟ ଆଜି ନିର୍ଣ୍ଣୟ କରିବେ ଧାମନଗରର ଜନତା ଜନାର୍ଦ୍ଦନ। ଆସନ୍ତା ୬ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ।