କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ।
ଜଟଣୀ ଏରିଆରେ ବ୍ରାଉନସୁଗର କାରବାରର ଏକ ବଡ଼ ଡିଲ୍ ହେବା ନେଇ ଗତକାଲି କ୍ରାଇମବ୍ରାଞ୍ଚ STF ସୂଚନା ପାଇଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ପୋଲିସ୍ ୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।
କ୍ରାଇମବ୍ରାଞ୍ଚର STF ର ଲଗାତାର ଚଢ଼ଉ ସତ୍ତ୍ୱେ ଏହି ଚୋରାଚାଲାଣ ଥମିବାର ନାଁ ଧରୁନି। ଗତ ୩ ମାସ ମଧ୍ୟରେ ଏହାକୁ ନେଇ ୧୫ରୁ ଊର୍ଦ୍ଧ୍ୱ କେସ୍ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ଜଣ ଗିରଫ ହୋଇସାରିଛନ୍ତି । ଏହାସତ୍ତ୍ୱେ ବ୍ରାଉନସୁଗର ଚୋରା ଚାଲାଣର ଏକ ବଡ଼ ନେଟୱର୍କ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତାର ତଦନ୍ତ ଜାରି ରଖିଛି ।