ତିନି ମହାନଗର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡ଼ି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜୁବାବୁଙ୍କ ଜନ୍ମବର୍ଷିକୀ । ଯାହାକୁ ସମଗ୍ର ରାଜ୍ୟରେ ଉତ୍ସାହର ସହ ପାଳନ କରାଯାଉଥିବା ବେଳେ, ଏହି ଶୁଭ ମୁହୂର୍ତ୍ତରେ ବିଜେଡି ତିନି ମହାନଗରର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନେକ ଦିନ ହେଲା ଯେଉଁ ନାମ କୁ ଶୁଣିବାକୁ ଜନସାଧାରଣ ଅପେକ୍ଷା କରି ରହିଥିଲେ ସେହି ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ନିର୍ବାଚନ ହେବାକୁ ଯାଉଥିବା ତିନିଟି ଯାକ ମହାନଗର ନିଗମ ପାଇଁ ବିଜେଡ଼ି ତା’ର ମେୟର ପ୍ରାର୍ଥୀ ଘୋଷଣା କରିଛି । ଏହି ପ୍ରାର୍ଥୀ ମନେ ହେଲେ ଭୁବନେଶ୍ୱରରୁ ଶ୍ରୀମତୀ ସୁଲୋଚନା ଦାସ, କଟକରୁ ସୁବାସ ସିଂ ଏବଂ ବ୍ରହ୍ମପୁରରୁ ଶ୍ରୀମତୀ ସଂଘମିତ୍ରା ଦଳେଇ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । କଂଗ୍ରେସ କଟକ ଓ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି । ମାତ୍ର ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଆସନ୍ତା ୭ ତାରିଖରେ ମନୋନୟନପତ୍ର ଦାଖଲର ଶେଷ ଦିନ ରହିଛି ।
ସୂଚନା ଅନୁଯାୟୀ, ଶ୍ରୀମତୀ ସୁଲୋଚନା ଦାସ ଜଣେ ସମ୍ବାଦିକା ଥିଲେ । ସେ ଇ ଟିଭି ଏଡ଼ିଟର ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀମତୀ ସୁଲୋଚନା କଂଗ୍ରେସର ଜଣେ ଦକ୍ଷ ନେତ୍ରୀ ସହ ମୁଖପାତ୍ର ରହି ସାରିଛନ୍ତି । ବର୍ତ୍ତମାନ ସେ ଭିନ୍ନକ୍ଷମ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ସୁବାସ ସିଂ ଜଣେ ଶ୍ରମିକ ନେତା ଭାବେ ପରିଚିତ ଥିଲେ । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି ।