ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜଙ୍କ ପରଲୋକ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଖ୍ୟାତ ଉଦ୍ୟୋଗପତି ରାହୁଲ ବଜାଜଙ୍କର ଆଜି ପୁଣେ ରେ ଦେହାନ୍ତ ଘଟିଛି । ସ୍ବର୍ଗତ ରାହୁଲ ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଅନେକ ଦିନରୁ ସେ କର୍କଟ ରୋଗରେ ପୀଡିତ ଥିଲେ ।

ସୂଚନା ଅନୁଯାୟୀ, ୧୯୩୮ ମସିହାର ଜୁନ ୧୦ ତାରିଖରେ ରାହୁଲ ଜନ୍ମଗ୍ରହଣ କରିଥିଲେ । ରାହୁଲଙ୍କ ବାପା କମଲନୟନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୋଟିଏ ସ୍କୁଲ୍‌ରେ ଏକା ସାଙ୍ଗରେ ପାଠ ପଢ଼ିଥିଲେ। ୧୯୬୫ ମସିହାରେ ରାହୁଲ ବଜାଜ ଗ୍ରୁପ୍‌ର ଦାୟିତ୍ୱ ଗ୍ରହଣ କରିବାପରେ କମ୍ପାନୀ ସଫଳତାର ଶୀର୍ଷରେ ପହଞ୍ଚିଥିଲା। ତାଙ୍କ ନେତୃତ୍ୱରେ ବଜାଜ ଅଟୋର ଟର୍ଣ୍ଣଓଭର ୭.୨ କୋଟିରୁ ୧୨ ହଜାର କୋଟି ପର୍ଯ୍ୟନ୍ତ ପହଞ୍ଚିଥିଲା। ଦେଶର ସ୍କୁଟର ବିକ୍ରେତା କମ୍ପାନୀଗୁଡ଼ିକ ମଧ୍ୟରେ ବଜାଜ ଅଗ୍ରଣୀ କମ୍ପାନୀ ହୋଇପାରିଥିଲା। ରାହୁଲ ୫୦ ବର୍ଷଧରି କମ୍ପାନୀର ଚେୟାରପର୍ସନ ରହିଥିଲେ । ୨୦୧୭ରେ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ରାହୁଲ ବଜାଜଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପାଇଁ ସିଆଇଆଇ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥିଲେ।

ସୂଚନା ଥାଉକି, ବଜାଜର ପ୍ରଥମ ଭେସ୍ପା ସ୍କୁଟର ଗୁଡ଼ଗାଓର ଏକ ଗ୍ୟାରେଜ ଶୋଡରେ ତିଆରି କରାଯାଇଥିଲା। ଏହାପରେ ବଛରାଜ ଟ୍ରେଡିଂ କର୍ପୋରେସନ କୁର୍ଲାରେ ମେନୁଫେକ୍ଚରିଂ ପ୍ଲାଣ୍ଟ ନିର୍ମାଣ କରିଥିଲେ। ପରେ ଏହି ପ୍ଲାଣ୍ଟକୁ ଅକୁରଡୀକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଫିରୋଦିଆ ପରିବାରର ସହଯୋଗରେ କମ୍ପାନୀ ଟୁ-ହ୍ୱିଲର ଓ ଥ୍ରୀ ହ୍ୱିଲର ପାଇଁ ଅଲଗା ଅଲଗା ପ୍ଲାଣ୍ଟର ପ୍ରତିଷ୍ଠା କରିଥିଲା। ଏହାପରେ ୧୯୬୦ରେ କମ୍ପାନୀର ନାମକରଣ କରାଯାଇଥିଲା ବଜାଜ ଅଟୋ।

Leave a comment