ବିଦ୍ୟୁତ୍ ଆଘାତରେ ୩ ପ୍ରଶିକ୍ଷଣପ୍ରାନ୍ତ ଯବାନ ମୃତ, ୮ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାରର ସୁପୋଲ ଜିଲ୍ଲାରେ ଏସଏସବିର ୪୫ତମ ବାଟାଲିୟମର ବୀରପୁର କ୍ୟାମ୍ପରେ ଶୁକ୍ରବାର ବିଦ୍ୟୁତ୍ ଆଘାତରେ ୩ ପ୍ରଶିକ୍ଷଣପ୍ରାନ୍ତ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି । ଏଥିରୁ ଚାରି ଜଣ ଯବାନ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କ୍ୟାମ୍ପରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନା ଅନୁଯାୟୀ, ୪୫ତମ ବାଟାଲିୟମର କମାଣ୍ଡେଟ୍ ଏଚ କେ ଗୁପ୍ତାଙ୍କ ବଦଳି ହୋଇଥିଲା। ବୁଧବାରେ ସନ୍ଧ୍ୟାରେ ତାଙ୍କ ସମ୍ମାନରେ ବିଦାୟକାଳୀନ ସମାରୋହ ଆୟୋଜନ ହୋଇଥିଲା। ତେବେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା୩୦ରେ ଟ୍ରେନିଂ ଯବାନ ଟେଣ୍ଟ ଖୋଲୁଥିଲେ। ଏହି ସମୟରେ ଟେଣ୍ଟ ଉପର ଦେଇ ଯାଇଥିବା ଉଚ୍ଚକ୍ଷମତାସଂପନ୍ନ ତାରରେ ଆଲୁମିନିୟମର ଏକ ପାଇପ୍ ଲାଗି ଯାଇଥିଲା। ଫଳରେ ସମସ୍ତ ଯବାନ ଗୋଟିଏ ସ୍ଥାନରେ ଥିବାରୁ ଏକ ସଙ୍ଗେ ଅନେକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।
ଏହି ଘଟଣାରେ ମହାରାଷ୍ଟ୍ରର ଅତୁଲ ପାଟିଲ(୩୦), ପର୍ଶୁରାମ ସବର(୨୪) ଓ ମହେନ୍ଦ୍ର ଚନ୍ଦ୍ର କୁମାର(୨୮) ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଶୁ ଚିକିତ୍ସା ପରେ ଚାରି ଯବାନଙ୍କୁ ଅନ୍ୟ ହସ୍ପିଟାଲ ପଠାଯାଇଛି । ବର୍ତ୍ତମାନ କ୍ୟାମ୍ପର କୌଣସି ବି ଅଧିକାରୀ କିଛି କହିବାକୁ ମନା କରି ଦେଇଛନ୍ତି ।