ବିଜେପି ଛାଡିଥିବା ୨ ମନ୍ତ୍ରୀ, ୫ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁପି ରାଜନୀତି ରୋଚକ ମୋଡ଼ ନେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହାତ ଛାଡିଥିବା ୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨ ଜଣ ଏବଂ ୫ ଜଣ ବିଧାୟକ ଆଜି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେମାନେ ହେଲେ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧରମ ସିଂ ସାଇନି ଏବଂ ୫ ବିଧାୟକ ହେଲେ ରୋଶନ ଲାଲ ବର୍ମା, ବ୍ରିଜେଶ ପ୍ରଜାପତି, ମୁକେଶ ବର୍ମା, ବିନୟ ଶକ୍ୟ ଓ ଭଗବତୀ ସାଗର । ଏଥିସହ ବିଜେପି ସହ ମେଣ୍ଟ କରିଥିବା ଆପନା ଦଳର ଚୌଧୁରୀ ଅମର ସିଂହ ଆଜି ଅଖିଲେଶଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।
ସୂଚନା ଅନୁଯାୟୀ, ସମାଜବାଦୀ ପାର୍ଟି ପକ୍ଷରୁ ଆଜି ଆୟୋଜିତ ଏକ ବିଶାଳ ମିଶ୍ରଣ ପର୍ବରେ ବିଜେପି ଛାଡିଥିବା ନେତା ଅଖିଳେଶ ଙ୍କ ଦଳରେ ଯୋଗ ଦେଇଛନ୍ତି। ଆଜି ଏମାନଙ୍କ ସହ ବହୁ ବିଜେପି କର୍ମୀ ଓ ନେତା ମଧ୍ୟ ସପାରେ ସାମିଲ ହୋଇ ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପି ବିରୋଧରେ ଗର୍ଜିଛନ୍ତି। ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ ମନ୍ତ୍ରୀ ଧରମ ସିଂ ସାଇନି କହିଥିଲେ, “ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ରୋଜଗାର ଏବଂ ସଂରକ୍ଷଣ କ୍ଷେତ୍ରରେ ଦଳିତମାନେ ସମ୍ପୂର୍ଣ୍ଣ ଶୋଷିତ ଓ ଅବହେଳିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ମକର ସଂକ୍ରାନ୍ତି ଅବସରରେ ପଛୁଆ, ଅବହେଳିତ ଶ୍ରେଣୀର ଲୋକ ସମାଜବାଦୀ ପାର୍ଟିରେ ଯୋଗ ଦେଇଛୁ।
ଅପରପକ୍ଷରେ ଯୋଗୀ ଆଦିତ୍ୟନାଥଙ୍କ ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ଆଜି ବିଜେପି ପତନର ଶଙ୍ଖନାଦ ବାଜିଛି । ବିଜେପି ଦେଶ ତଥା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଛି ଏବଂ ଲୋକଙ୍କୁ ଶୋଷଣ କରିଛି । ଉତ୍ତରପ୍ରଦେଶକୁ ବିଜେପିର ଶୋଷଣରୁ ମୁକ୍ତ କରିବା ସମୟ ଆସିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏମାନଙ୍କୁ ଦଳକୁ ସ୍ୱାଗତ କରି ବିଜେପି ବିରୋଧରେ ଚାଲିଥିବା ଲଢ଼େଇକୁ ଆହୁରି ଜୋରଦାର କରିଛନ୍ତି ।