ମଣିପୁରରେ ଉଗ୍ର ହେଲା ହିଂସା; ପୁଣି ୪ଜଣଙ୍କୁ ହତ୍ୟା କଲେ ବିଦ୍ରୋହୀ
ମଣିପୁରରେ ପୁଣି ଉଗ୍ର ହେଲା ହିଂସା । ବିଷ୍ଣୁପୁରରେ ବିଦ୍ରୋହୀଙ୍କ ଗୁଳିରେ ଥରିଲା ଅଞ୍ଚଳ । ଘଟଣାସ୍ଥଳରେ ଟଳିପଡିଲେ ୪ଜଣ । ରବିବାର ବିଳମ୍ବିତ ରାତିରେ ମଣିପୁରର ଉତ୍ତରପଶ୍ଚିମ ପ୍ରାନ୍ତରେ ଗୁଳିମାଡ ହୋଇଥିଲା । କାଙ୍ଗ୍ପୋକପି ଜିଲ୍ଲାର ଡମ୍ପିଂ ପାହାଡି ଇଲାକାରେ କୁକି ସମ୍ପ୍ରଦାୟର ବିଦ୍ରୋହୀ ଗୋଷ୍ଠୀ ସେଠାରେ ମୁତୟନ ହୋଇଥିବା ପୋଲିସ ଉପରକୁ ଗୁଳିମାଡ କରିଥିଲେ ।
ରାତି ସାରା ଗୁଳିବିନିମୟ ଜାରି ରହିଥିଲା । ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି। । ଏଥିସହ ଅନ୍ୟ ୫ଜଣଙ୍କୁ ଅପହରଣ କରିନେଇଛନ୍ତି ଉଗ୍ରବାଦୀ । ଅପହୃତଙ୍କୁ ଉଦ୍ଧାର କରିବା ଲାଗି ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।
ସେପଟେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେ ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଲୋକମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ହିଂସା ପଛରେ ବିଦେଶୀ ଶକ୍ତି ଥିବା ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ କହିଛନ୍ତି । ରାଜ୍ୟରେ ଯେଉଁ ଅଭୁତପୂର୍ବ ଜାତିଆଣ ହିଂସା ଦେଖା ଦେଇଛି ତା’ ପଛରେ ବିଦେଶୀ ହାତ ଅଛି । ଏହା ପୂର୍ବ ଯୋଜନା ଅନୁସାରେ ହୋଇଛି । ମଣିପୁର ସୀମା ମିଆଁମାର ସହ ଲାଗି ରହିଛି। ଏହା ଚୀନ ଠାରୁ ବହୁତ ନିକଟରେ ରହିଛି। ମଣିପୁରରେ ୩୯୮ କିଲୋମିଟର ସୀମା ଏବେ ଅସୁରକ୍ଷିତ । ବଡ଼ ସୀମାକୁ କଭର କରିବା କଷ୍ଟସାଧ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ସେ କୁକି ସମୁଦାୟର ଭାଇଭଉଣୀଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି । ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆନୁରୋଧ କରିଛନ୍ତି । ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।
ସୂଚନାଯୋଗ୍ୟ ଯେ ମେ’ ୩ ତାରିଖରୁ ମଣିପୁରରେ କୁକି ଆଦିବାସୀ ଓ ମୈଇତି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଯୋଗୁ ଏପର୍ଯ୍ୟନ୍ତ ୧୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ୨୬ ହଜାର ଲୋକ ଆଶ୍ରୟ ଶିବିରରେ ରହିଥିବା ବେଳେ ୪୬ ହଜାର ପଡୋଶୀ ରାଜ୍ୟମାନଙ୍କୁ ଚାଲିଯାଇଛନ୍ତି।