କୋକେଇରୁ ଉଠି ପାଣି ମାଗିଲେ ମହିଳା

0

ସଜଡ଼ା ସରିଥିଲା କୋକେଇ । ମୃତଦେହକୁ ନେଇ କୋକେଇରେ ଶୁଆଇ ଦିଆଯାଇଥିଲା । ଆଉ କିଛି ସମୟ ପରେ ଗାଁ ମଶାଣିକୁ ନେଇ ସେଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥାନ୍ତା । ହେଲେ କେହି କିଛି ଭାବିବା ଆଗରୁ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା । ଘର ଲୋକଙ୍କ ହାତରୁ ପାଣି ମାଗି ପିଇଲେ ମୃତକ । ଏହା ଦେଖିବା ପରେ ମୃତକ ବଞ୍ଚିଥିବା କହି ଗୁଣିଆକୁ ଡାକିଲେ ପରିବାର ଲୋକେ ।

ଗୁଣିଗାରେଡି ସହିତ ଝଡାଫୁଙ୍କା କରିଲେ । ମୃତକ ବଞ୍ଚିଥିବା ଦେଖି ଘର ଲୋକେ ତାଜୁବ । ପୁନଃ କପ୍ତିପଦା ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଶେଷରେ ରବିବାର ସନ୍ଧ୍ୟାରେ ମହିଳା ଜଣଙ୍କ ଆଖି ବୁଜିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭାଲୁହୁଡୁରା ଗ୍ରାମରେ ।

ରବିବାରକୁ ୧୧ ଦିନ ପୂର୍ବର କଥା । ଗ୍ରାମର ସୁହାଗିନୀ ବିନ୍ଧାଣୀ କାଠ ଚିରୁଥିବା ଗୁରୁତର ହୋଇଥିଲେ । ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତିରେ ସୁହାଗିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକେ ରବିବାର ସକାଳୁ ସ୍ୱର୍ଗରଥରେ ମୃତଦେହକୁ ନିଜ ଘରକୁ ନେଇ ଯାଇଥିଲେ । ଶୋକାକୁଳ ପରିବେଶରେ ପରିବାର ଲୋକେ ମୃତକଙ୍କ ଅନ୍ତିମ ସଂସ୍କାର ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକେ ମିଶି କୋକେଇ ସଜାଡ଼ିଲେ । ଏତିକିବେଳେ ହଠାତ୍‌ କେକେଇରୁ ଉଠି ଘର ଲୋକଙ୍କ ହାତରୁ ମହିଳା ଜଣଙ୍କ ପାଣି ମାଗି ପିଇଲେ ଏବଂ ତାଙ୍କର ନିଃଶ୍ୱାସ ଚାଲିଥିଲା ।

ଏହାପରେ ପରିବାର ଲୋକେ ଗୁଣିଆକୁ ଡାକିଥିଲେ । ଜଣେ ମହିଳା ଏବଂ ପୁରୁଷ ଗୁଣିଆ ସୁହାଗିନୀଙ୍କୁ ଝଡାଫୁଙ୍କା କରିଥିଲେ । ପୁଣି ସୁହାଗିନୀଙ୍କୁ ଉଦଳା ଡାକ୍ତରଖାନା ନେଇଥିଲେ । ସେଠାରେ ଚିକିତ୍ସା ଚାଲିଥିବାବେଳେ ରବିବାର ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ନାରାଜ ହୋଇଥିଲେ । ସେମାନେ ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇ ନଥିବା ଏବଂ ଡାକ୍ତର ଅବହେଳା କରିଥିବା କଥା କହି ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ପାଟିତୁଣ୍ଡ କରିଥିଲେ । ଏନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ପୁଲିସ୍‌ ଏବଂ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକେ ମୃତଦେହକୁ ନେଇ ଘରକୁ ଚାଲିଯାଇଥିଲେ । ପୁଣି କୋକେଇ ବନ୍ଧାଯାଇ ସୁହାଗିନୀଙ୍କୁ ଶ୍ମଶାନ ନିଆଯାଇଥିଲା ଓ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Leave a comment