ପୁଣିଥରେ ରାଜଧାନୀରେ ରାଗିଂ ଅଭିଯୋଗ; ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିବା ସହ ଉଠବସ୍ କଲେ ୩ ସିନିୟର
ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାକୁ ନେଇ ରାଜଧାନୀରେ ଝଡ ଥମିନଥିବାବେଳେ ପୁଣିଥରେ ଆସିଛି ରାଗିଂ ଅଭିଯୋଗ । ଜଣେ ଛାତ୍ରଜଣଙ୍କୁ ୩ ଜଣ ସିନିୟରମାନେ ମାଡ଼ ମାରିବା ସହ ଉଠବସ୍ କରିଥିବା ଅଭିଯୋଗ ହୋଇଛି ଖଣ୍ଡଗିରି ଥାନାରେ।
ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର।
ଛାତ୍ରଙ୍କ ଅଭିଯୋଗ ଅନୁସାରେ, କଲେଜର ୩ ଜଣ ସିନିୟର ତାଙ୍କୁ ମଦ ପିଇବାକୁ ପଇସା ମାଗିଥିଲେ। ହେଲେ ଛାତ୍ର ଜଣଙ୍କ ପଇସା ଦେବାକୁ ଅରାଜି ହେବାରୁ ତାଙ୍କୁ ସିନିୟରମାନେ ମାଡ଼ ମାରିବା ସହ ଉଠ୍ବସ୍ କରିଥିଲେ।
ଛାତ୍ର ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ରାଗିଂ ସଂପର୍କିତ କୌଣସି ଅଭିଯୋଗ ଆସିନି। ଆଣ୍ଟି ରାଗିଂ ସେଲରେ ବି କୌଣସି ଅଭିଯୋଗ ହୋଇନାହିଁ। କ୍ୟାମ୍ପସ ଭିତରେ ଏପରି ଘଟଣା ଘଟି ନାହିଁ। ଅଭିଯୋଗକାରୀ ଛାତ୍ରଙ୍କୁ ଡାକିଛୁ। ତାଙ୍କ ପାଖରୁ ଘଟଣା ବିଷୟରେ ପଚାରି ବୁଝିବୁ।