ନଗଡାରେ ୧୭୭ ଜଣଙ୍କୁ ଦିଆଗଲା ଭାକସିନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ପ୍ରତିଷେଧକ ଟିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀମାନଙ୍କୁ ଟିକାକରଣ କରିବା ଦିଗରେ ଗୁରୁତ୍ଵ ଦେବା ସହ ନଗଡାରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବଣ ପାହାଡ଼ ଘେରା ଇଲାକା ନଗଡାର ଆଦିବାସୀମାନଙ୍କୁ ଟିକାକରଣ କରାଯାଇଛି l ଉଭୟ ତଳ ଓ ଉପର ନଗଡାର ୬୫ ଜଣ ଜୁଆଙ୍ଗ ଆଦିବାସୀଙ୍କ ସମେତ ଗୁହିଆଶାଳରୁ ୫୬ ଓ ତୁମୁଣିର ୩୮ ଜଣ ଜୁଆଙ୍ଗ ଆଦିବାସୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇଛି l ଏଥି ସହିତ ନାଲିଆଡାବର ୨ ଜଣଙ୍କ ସମେତ ସେଠାରେ ରହି ଉନ୍ନୟନ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ୧୬ ଜଣ କର୍ମଚାରୀଙ୍କୁ ଟିକାକରଣ କରାଯାଇଛି।
ତେବେ ନଗଡା ଅଞ୍ଚଳରେ ମୋଟ ୧୭୭ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି l ଟିକାକରଣର ସପ୍ତାହକ ପୂର୍ବରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡି ଓ ଆଶାକର୍ମୀମାନେ ଘର ଘର ବୁଲି ସଚେତନ କରାଇଥିଲେ l ତଳ ନଗଡା ରେ ଥିବା ବିଦ୍ୟାଳୟ ପରିସରରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।