ଶ୍ରୀମନ୍ଦିରର ଧବଳ ବାନା ସୂଚନା ଦେଲା ପ୍ରବଳ ବର୍ଷାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ଲଟେରୀ ମାଧ୍ୟମରେ ନୀଳଚକ୍ରରେ କେଉଁ ବାନା ଲାଗିବ ସ୍ଥିର ହୋଇଥାଏ । ଆଜି ସଂଯୋଗ ବଶତଃ ବା ଜଗତର ନାଥ ଜଗନ୍ନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଧବଳ ବାନା ଲଟେରୀ ମାଧ୍ୟମରେ ସ୍ଥିର ହୋଇଛି । ପୂର୍ବରୁ କଥାରେ ଅଛି ଯେତେବେଳେ ଧବଳ ବାନା ଲାଗିଛି ପ୍ରବଳ ବର୍ଷା ହୋଇଛି । ଏହା ସତ ହୋଇଛି ବୋଲି ଅନେକ ମତ ରଖିଛନ୍ତି । କାରଣ ସାମୁଦ୍ରିକ ବାତ୍ୟା ୟସର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି । ତେଣୁ ଲୋକକଥା “ବାନା ଉଡ଼ିବ ଧବଳ, ବର୍ଷା ହେବ ପ୍ରବଳ” ନିଜର ସତ୍ୟତା ପ୍ରମାଣିତ କରିଛି ବୋଲି ଚର୍ଚ୍ଚା ଜୋର ଧରିଛି ।
ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଜି ରୁପକାର ସେବକଙ୍କ ଦ୍ୱାରା ଗୁଜା ଅନୁକୁଳ ରୀତିନୀତି ଓ ଭୋଇ ସେବକଙ୍କ ଦ୍ୱାରା ଜନ୍ତାଗାଡ ଅନୁକୂଳ କରାଯିବା ପରେ ଦୁଇ ଦିନ ପାଇଁ ସ୍ଥଗିତ ରହିଛି ରଥ ନିର୍ମାଣ । ଏବଂ ରଥ ଖାଳା ଅଞ୍ଚଳରେ ଏକ ଉତ୍ସର୍ଗୀକୃତ ଦଳ ନିୟୋଜିତ ହେବେ। ସାମୁଦ୍ରିକ ବାତ୍ୟା ୟସ ସମୟରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୂର ସମସ୍ତ ନିର୍ଦ୍ଧାରିତ ନୀତି-କାନ୍ତି ଜାରି ରହିବା ନେଇ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପୁରୀ କଲେକ୍ଟର ଶ୍ରୀ ସମରଥ ବର୍ମା ଓ ପୁରୀର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।