ଦେଖାଗଲା ବାତ୍ୟା ‘ୟାସ୍’ର ଆଖି: ପାରାଦୀପ ରାଡାରରୁ ହେଲା ସ୍ପଷ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୀଷଣ ରୂପ ଧରି ମାଡି ଆସୁଛି ବାତ୍ୟା ୟାସ୍। ଆସନ୍ତାକାଲି ବାଲେଶ୍ଵର ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଭୋରରୁ ସକାଳ ୧୧ଟା ମଧ୍ୟରେ ୟାସ୍ ସ୍ଥଳଭାଗ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ୟାସ୍ର ଆଖି ପାରାଦୀପ ରାଡାରରେ ସ୍ପଷ୍ଟ ଆସିଛି। ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ହୋଇଥିବା ସୂଚନା ମିଳିଛି। ରାଡାର ପରିଧିକୁ ଆସିବା ପରେ ବାତ୍ୟାର ଆଖି ସ୍ପଷ୍ଟ ଦେଖିବାକୁ ମିଳିଛି।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟାର ଆଖିଟି ସେତେ ଭଲଭାବରେ ବିକଶିତ ହୋଇନାହିଁ। ଯେତେବେଳେ ରେଗୁଲାର ଆଖି ଦେଖା ଦେବ ତେବେ ବାତ୍ୟା କେତେ ଶକ୍ତିଶାଳୀ ହେବ ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ବାତ୍ୟା ଆଖିର ବ୍ୟାସାର୍ଦ୍ଧାକୁ ଓ ତୀବ୍ରତା ସହିତ ସେମିତି କୌଣସି ସିଧାସଳଖ ସମ୍ପର୍କ ନାହିଁ। ତେବେ ସାଧାରଣ ଭାବେ କହିବାକୁ ଗଲେ ବ୍ୟାସାର୍ଦ୍ଧ ଅଧିକ ହେଲେ ତୀବ୍ରତା କମ୍ ହୋଇଥାଏ। ସେହିପରି ଅଧିକ ହେଲେ ତୀବ୍ରତା ଅଧିକ ହୋଇଥାଏ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ୩୫ କିମି ବ୍ୟାସାର୍ଦ୍ଧ ରହିଛି ଯାହା ଡାୟା ମିଟର ୭୦ କିମି ଯାହା ଅଧିକ। ତେବେ ଧୀରେ ଧୀରେ ଆଖିର ବ୍ୟାସାର୍ଦ୍ଧ କମିବ ଓ ବତ୍ୟାର ପ୍ରଭାବ ତୀବ୍ର ହେବ ବୋଲି ସେ ସୂଚନା ଦେଇଛନ୍ତି।