ପୋଲିସ ଉପରେ ଆକ୍ରମଣ, ୪ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଓଡ଼ିଶା-ଝାଡ଼ଖଣ୍ଡ ସୀମା ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଜି ଚାରି ଜଣ ପୁଲିସ୍ ଆହତ ହୋଇଛନ୍ତି। ସମସ୍ତଙ୍କୁ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା କନଷ୍ଟେବଲ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ହୋମଗାର୍ଡ ଅନିଲ କୁମାର ହେମ୍ବ୍ରମ୍‌ଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ ପାଇଁ ରାଜ୍ୟର ବିଭିନ୍ନ ସୀମାକୁ ସିଲ୍‌ କରି ଦିଆଯାଇଛି। ତେବେ ଓଡ଼ିଶା –ଝାରଖଣ୍ଡ ସୀମା ସିଲ୍‌ ଥିବାବେଳେ ସେଠାରେ କିଛି ପୁଲିସ୍ କର୍ମଚାରୀ ମୁତୟନ ହୋଇଥିଲେ। ଆଜି ସକାଳେ କିଛି ପୁଲିସ୍‌ କର୍ମଚାରୀ ସେଠାରେ ଜଗିଥିବା ବେଳେ ଝାରଖଣ୍ଡ ପଟୁ କେତେକ ଯୁବକ ଆସି ରରୁଆଁ ଯିବା ପାଇଁ କହିଥିଲେ।

ତେବେ ସୀମାରେ ଜଗିଥିବା ପୁଲିସ୍‌ କର୍ମଚାରୀ ସେମାନଙ୍କୁ ଛାଡି ନଥିଲେ। ଏହାକୁ ନେଇ ଉକ୍ତ ଯୁବକ ଓ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ପରେ ସେମାନେ ତାଙ୍କ ସାଥୀଙ୍କୁ ଡାକିଥିଲେ। ପରେ ୧୫ରୁ ୨୦ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ପୁଲିସ୍ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

Leave a comment