ଆଜି ସାରା ଦେଶ ପାଳୁଛି ‘ଜନତା କର୍ଫ୍ୟୁ’ : ଚାରିଆଡେ ଶୂନଶାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାରିଆଡେ ଶୂନଶାନ । ଦୋକାନ ବଜାରବନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁଯାୟୀ ଆଜି ଭାରତ ‘ଜନତା କର୍ଫ୍ୟୁ’ ପାଳନ କରୁଛି। ଏହି ଅବସରରେ ସମସ୍ତେ ଯଥା ସମ୍ଭବ ଘର ଭିତରେ ରହିବାକୁ ହେବ। ମହାମାରୀର ରୂପ ନେଇଥିବା କରୋନା ଭାଇରସ୍ର ମୁକାବିଲା ପାଇଁ ଏପରି କରିବାକୁ ହେବ। ଏପରି କରି ପ୍ରତ୍ୟେକ ଭାରତୀୟ ‘ସଂକଳ୍ପ ଓ ସଂଯମ’ର ସହ କରୋନାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ‘ଜନତା କର୍ଫ୍ୟୁ’ ଆହ୍ୱାନ କରି କହିଥିଲେ ମାର୍ଚ୍ଚ ୨୨ ତାରିଖରେ ସକାଳ ୭ଟାରୁ ରାତି ୯ଟା ଯାଏ ଏହା ପାଳିତ ହେବ। ଜରୁରୀକାଳୀନ ସେବାକୁ ଛାଡ଼ି କେହି ମଧ୍ୟ ନ ବାହାରିବାକୁ ମୋଦି ଆହ୍ୱାନ କରିଥିଲେ। ‘ଜନତା କର୍ଫ୍ୟୁ’ ଅବସରରେ ମଲ୍, ମାର୍କେଟ୍ ଏବଂ ଶପ୍ ବନ୍ଦ ଅଛି। ତେବେ ଏହା ଔଷଧ ଦୋକାନ, କ୍ଷୀର ଦୋକାନ ଏବଂ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲାଥିବା ଜଣାପଡିଛି।
ବିଭିନ୍ନ ସହରରେ ମେଟ୍ରୋ ବନ୍ଦ ରହିବାର ଅଛି। କିନ୍ତୁ ବସ୍ ସେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହି କଟକଣାରୁ ସ୍ୱାସ୍ଥ୍ୟସେବା ପରି ଜରୁରୀସେବା ବାଦ୍ ପଡ଼ିବ। ଡାକ୍ତର, ନର୍ସ, ପାରାମେଡିକ୍, ମ୍ୟୁନିସିପାଲ ଷ୍ଟାଫ୍ ଏବଂ ବିମାନବନ୍ଦର କର୍ମଚାରୀ ଏହି ସମୟରେ ନିଜ କାମରେ ଥିବେ। ସେହିଭଳି ରେଲୱେ, ପୁଲିସ୍, ବସ୍, ଅଟୋରିକ୍ସା, ହୋମ୍ ଡେଲିଭରୀ ଏବଂ ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ୍ ପଡ଼ିବ। ଏନେଇ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ସହର ଭିତରକୁ କାହାକୁ ଛାଡୁନି।