ପାଞ୍ଚଲକ୍ଷ ଗରିବଙ୍କୁ ୧ଟଙ୍କିଆ ଚାଉଳ ଦେବେ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅତିରିକ୍ତ ୫ ଲକ୍ଷ ଗରିବ ହିତାଧିକାରୀଙ୍କୁ ସାମିଲ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ହିତାଧିକାରୀମାନେ ମାସିକ ୧ଟଙ୍କା କିଲୋ ଦରରେ ମୁଣ୍ଡପିଛା ୫କିଲୋ ଚାଉଳ ପାଇବେ। ଏପ୍ରିଲମାସରୁ ଏହି ରାସନ ସାମଗ୍ରୀ ସେମାନଙ୍କୁ ମିଳିବ। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ୫ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି। ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଣ୍ଟିତ ହେବାକୁ ଥିବା ୫ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ସର୍ବାଧିକ ହିତାଧିକାରୀ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ସବୁଠୁ କମ୍ ବୌଦ୍ଧ ଜିଲ୍ଲାରେ ଅଛନ୍ତି।
ବାଲେଶ୍ୱରର ୩୧୭୯୭, ବରଗଡ଼ର ୭୭୫୮, ବଲାଙ୍ଗିରର ୩୫୭୯୪, ଅନୁଗୋଳର ୭୩୬୦, ଭଦ୍ରକର ୧୧୬୦୯, କେନ୍ଦୁଝର ଜିଲ୍ଲାର ୨୩୨୬୫, ବୌଦ୍ଧର ୩ହଜାର, କଟକର ୧୨୭୭୦, ଢେଙ୍କାନାଳ ଜିଲ୍ଲାର ୨୨୩୧୩, ଦେବଗଡ଼ର ୬ହଜାର, ଗଜପତିର ୯୮୬୮, ଗଞ୍ଜାମ ଜିଲ୍ଲାର ୭୧ହଜାର, ଜଗତସିଂହପୁର ଜିଲ୍ଲାର ୯୦୪୨, ଯାଜପୁର ଜିଲ୍ଲାର ୩୭୦୦୦, ଖୋର୍ଦ୍ଧା ଜିଲ୍ଲାର ୯୦୮୧, କୋରାପୁଟ ଜିଲ୍ଲାରେ ୧୫ହଜାର, ମାଲକାନଗିରିରେ ୬୩୦୮, ପୁରୀରେ ୩୭ହଜାର, ରାୟଗଡ଼ାରେ ୯ହଜାର, ସମ୍ବଲପୁରରେ ୬୧୫୮ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୯୮୮୦ଜଣ ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୧୭୬୮ଜଣଙ୍କୁ ଏପ୍ରିଲ,ମଇ ଓ ଜୁନ୍ ମାସ ନିମନ୍ତେ ରାସନ ସାମଗ୍ରୀ ମିଳିବ। ଏଥିନିମନ୍ତେ ରାଜ୍ୟ ସରକାର ବାର୍ଷିକ ଅଧିକ ୯୬କୋଟି ଟଙ୍କା ବହନ କରିବେ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।