ଅମରେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀପାବଳି ଦିନ ରାତିରେ ବାଣଫୁଟାକୁ କେନ୍ଦ୍ର କରି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପଛପଟ ଏକାମ୍ର କଲେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡର ଦୁଇ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନେ ହେଲେ ରାଘବ ଓ ଜଗଦୀଶ । ଦୀପାବଳି ଦିନ ହତ୍ୟାକାଣ୍ଡ ଘଟାଇବା ପରେ ସେମାନେ ଫେରାର ହୋଇଯାଇଥିଲେ । ସ୍ପେଶାଲ ସ୍କାର୍ଡ ଟିମ ରାଘବ ଓ ଜଗଦୀଶ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁଯାୟୀ, ସୁନ୍ଦରପଦା ବିଡିଏ ଅଞ୍ଚଳର ଅମରେଶ ନାୟକ ଓ ତାଙ୍କର କିଛି ସାଥି ଏକାମ୍ର କଲେଜ ନିକଟରେ ଦୀପାବଳି ଦିନ ରାତିରେ ଭୋଜି କରୁଥିଲେ । ଭୋଜି ବେଳେ ସେଠାରେ ବାଣ ଫୁଟାଇଥିଲେ । ସୁନ୍ଦରପଦାର ଜଣେ ଯୁବକ ସେମାନଙ୍କୁ ବାଣ ନଫୁଟାଇବାକୁ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଯୁବକ ଜଣକ ସେଠାରୁ ପଳାଇଯାଇଥିଲା । କିଛି ଦୁର୍ବୁତ୍ତଙ୍କ ସହ ଆସି ଅମରେଶ ଓ ତାଙ୍କ ସହଯୋଗୀକୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ହିଁ ଅମରେଶଙ୍କର ମୃତ୍ୟୁ ଘଟିଥିଲା ।