ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ପାଇଲା କଟକ ବାଲିଯାତ୍ରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘ ଦିନର ଦାବିହେଲା ପୁରଣ । କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା । ରାଜ୍ୟଲୋକସେବା ଭବନରେ ନିଆଗଲା ନିଷ୍ପତ୍ତି । ନଭେମ୍ବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଐତିହାସିକ କଟକ ବାଲିଯାତ୍ରା ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ପ୍ରଶାସନ ଅନେକ ଦିନ ହେଲା କଟକ ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦେବାକୁ ଦାବି କରି ଆସୁଥିଲା । ଏହାକୁ ଗ୍ରହଣ କରିନେଇଛନ୍ତି ରାଜ୍ୟ ସରକାର । ବାଲିଯାତ୍ରାକୁ ପୁରୀ ରଥଯାତ୍ରା ପରି ବିଶ୍ବଦରବାରରେ ପହଞ୍ଚାଇବା ଯୋଜନା କରିଛି ରାଜ୍ୟସରକାର । ତେଣୁ ଏଥର ତଳ ବାଲିଯାତ୍ରା ପଡିଆ ଦାୟିତ୍ବ ତହସିଲ ହାତରୁ କାଢି ନିଆଯାଇ ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ହାତରେ ଦିଆଯାଇଛି । ସେମାନେ ଏହାର ପ୍ରଚାର ପ୍ରସାର ପାଇଁ ଆର୍ଥିକ ସହାୟତା ଯୋଗାଇବେ ।
ସେହିପରି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଏହି ଉତ୍ସବରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଏକତ୍ରିତ ହେବା ସହ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ ହେଉଛି ଏବଂ ପ୍ରତିବର୍ଷ ବିକ୍ରି ବଢୁଥିବା ସେ ଚିଠି ମାଧ୍ୟମରେ ଜଣାଇବା ସହ ବାଲିଯାତ୍ରାର ଅତିରିକ୍ତ ବ୍ୟୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବାକୁ ମଧ୍ୟ ଦାବି କରିଥିଲେ ମୋକିମ ।