ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ

0

ବଡ଼ ଦାଣ୍ଡରେ ଗଡ଼ିଲା ତିନି ରଥ । ଗୋଟିଏ ଦିନରେ ନେତ୍ରୋତ୍ସବ ଏବଂ ରଥଯାତ୍ରା ପଡ଼ିଥିବାରୁ ଆଜି ନୀତିକାନ୍ତି ବିଳମ୍ବ ହେବ ବୋଲି ଅନୁମାନ କରାଯାଉଥିଲା ହେଲେ ସବୁକିଛି ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ବାଦିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ରାଜ୍ୟର ମନ୍ତ୍ରିଗଣ ଏବଂ ବିରୋଧୀ ଦଳ ନେତା ଶ୍ରୀକ୍ଷେତ୍ରରେ ଉପସ୍ଥିତ ରହି ରଥଯାତ୍ରାରେ ସାମିଲ ହୋଇଥିଲେ।

ଆଗେ ଚାଲେ ବଳଭଦ୍ର, ମଧ୍ୟେ ଚାନ୍ଦମୁହିଁ, ପଛରେ ଆସୁଛି କାଳିଆ ଗହଳି ଲଗାଇ। ଆଜି ରଥଯାତ୍ରାରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ମହାବାହୁ। ଭକ୍ତ ଭଗବାନଙ୍କର ହୋଇଛି ଅପୂର୍ବ ମିଳିନ। ଜନ ସମୁଦ୍ର ଭିତରେ ହଜିଯାଇଛନ୍ତି ଭଗବାନ ଆଉ ଭଗବାନଙ୍କ ସହ ଭାବରେ ଲୀନ ହୋଇଯାଇଛି ଭକ୍ତ। ରଥଯାତ୍ରାରେ ଦେଖାଦେଇଛି ଏଭଳି ଭାବ ବିନିମୟ । ସେ ଭାବ ବିନୋଦିଆ, ଭାବଗ୍ରାହୀ, ଭକ୍ତବତ୍ସଳ କାଳିଆ ଠାକୁର । ଭକ୍ତ ପାଇଁ ସିନା ତାଙ୍କର ଏହି ଲୀଳା। ଆଉ ମହାବାହୁଙ୍କ ଏହି ଲୀଳା ଦେଖି ଭାବବିହ୍ବଳ ହୋଇଯାଇଛି ଭକ୍ତ। ଆଖିରୁ ତାର ବୋହି ଆସିଛି ଆନନ୍ଦାଶ୍ରୁ।

ପୁରୀରେ ଆଜି ଆୟୋଜିତ ହୋଇଛି ରଥଯାତ୍ରା। ଏ ରଥଯାତ୍ରା ଥିଲା ଭିନ୍ନ। କାରଣ ୫୩ ବର୍ଷ ପରେ ନୋତ୍ରୋତ୍ସବ ଏବଂ ରଥଯାତ୍ରା ଏକାଦିନ ପଡ଼ିଥିଲା। ତେଣୁ ନୀତିକାନ୍ତି ଚାଲିଥିଲା ଧାଡ଼ିକି ଧାଡ଼ି। ସକାଳ ୮ଟା ୨୦ରେ ହୋଇଥିଲା ମହାସ୍ନାନ। ଏହାପରେ ମଇଲମ, ଘାଣ୍ଟଛତା । ୦୯ ଟାବେଳେ ବେଶଶେଷ । ଏହାପରେ ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ୧୦ଟା ବେଳ ହୋଇଥିଲା ରଥ ପ୍ରତିଷ୍ଠା । ଦିନ ୧୧ଟା ୧୦ରେ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ ତାପରେ ବଡ଼ ସାଆନ୍ତ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଏହା ପରେ ମା ସୁଭଦ୍ରା ପରେ କାଳିଆ ସାଆନ୍ତ ଙ୍କ ପହଣ୍ଡି ହୋଇଥିଲା। ଝୁଲି ଝୁଲି ଆସୁଥିଲେ । କେତେବେଳେ ଉପରକୁ ଚାହୁଁଥିଲେ ଆଉ କେତେବେଳେ ଭକ୍ତଙ୍କ ଗହଳିରେ ହଜିଯାଉଥିଲେ। ଆଉ ରଥାରୁଢ଼ ହୋଇଥିଲେ ତିନିଠାକୁର। ଏସବୁ କିଛି ଯେମିତି ସବୁ ତାଙ୍କରି ଇଚ୍ଛାରେ ସୁରୁଖୁରରେ ସଂପାଦିତ ହୋଇଯାଉଥିଲା।

ଶଙ୍କରାଚାର୍ଯ୍ୟ ଆସି ରଥ ପରିକ୍ରମା କରିଥିଲେ। ସାଙ୍ଗରେ ତାଙ୍କର ଶିଷ୍ୟମାନେ ମଧ୍ୟ ଆସିଥିଲେ। ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଶଙ୍କରାଚାର୍ଯ୍ୟ। ପରେ ତାମଯାନରେ ଆସିଥିଲେ ଗଜପତି ମହାରାଜ।ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିନିଧି । ତିନିରଥରେ ଛେରା ପହଁରା କରିଥିଲେ ଗଜପତି। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହେବା ସହିତ ଠିକ୍ ୫ଟା ବେଳେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଗଡିଥିଲା ତାଳଧ୍ବଜ। ଏହାପରେ ଦର୍ପଦଳନ। ଘଣ୍ଟ ବାଜୁଥିଲା, ଡାହୁକ ଡାକୁଥିଲା। ନୃତ୍ୟୁ କରୁଥିଲେ ବେଶଧାରୀ। ପଛରେ ଗଡ଼ିଥିଲା ନନ୍ଦିଘୋଷ। ଶ୍ରଦ୍ଧାରେ ରଥକୁ ଟାଣିନେଇଥିଲେ ଭକ୍ତ।

Leave a comment