ଅଷ୍ଟମ ଥର ପାଇଁ ସଭାପତି ହେଲେ ନବୀନ ପଟ୍ଟନାୟକ: ‘ ଲୋକଙ୍କ ସ୍ନେହ ପାଇବା ପାଇଁ ବିଜେଡି ନିର୍ବାଚନ ଲଢ଼େ’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି। ବୁଧବାର ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ। ଏହା ସହିତ ଏହି ବୈଠକରେ ଦଳର 80 ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିତିବା ପାଇଁ ବିଜେଡି ନିର୍ବାଚନ ଲଢ଼େ ନାହିଁ। ଲୋକଙ୍କ ସ୍ନେହ ପାଇବା ପାଇଁ । ଏହାସହିତ ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇଥିଲେ। ସେ କହିଥିଲେ, “ବିଜୁ ବାବୁ କହୁଥିଲେ ଯେ ସରକାର ଗଢ଼ିବା ପାଇଁ ଅଧିକ ଚିନ୍ତା କରନାହିଁ। ଲୋକଙ୍କ ସେବା କରିବାକୁ ସବୁବେଳେ ଚିନ୍ତା କର।”

ସୂଚନାଯୋଗ୍ୟ, ବିଜେଡି ସଭାପତି ପଦ ପାଇଁ ଫେବ୍ରୁଆରୀ 23 ତାରିଖରେ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିଥିଲେ। ଯେହେତୁ ଏହି ପଦ ପାଇଁ ଆଉ କେହି ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ, ତେଣୁ ସେ ପୁଣିଥରେ ନିଦ୍ୱର୍ନ୍ଦ୍ୱରେ ଦଳର ସଭାପତି ହୋଇଛନ୍ତି।

Leave a comment