ନଦୀରେ ଓଲଟିଲା ଡଙ୍ଗା, ୬ ଛାତ୍ର ମୃତ

0

ଗୁଜରାଟର ଭଡୋଦରାରେ ବଡ଼ ଦୁର୍ଘଟଣା ଘଟିଛି । ହରଣୀ ନଦୀରେ ଏକ ଡଙ୍ଗା ଓଲଟି ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ମୁତାବକ, ଏହି ଡଙ୍ଗାରେ ୨୩ ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକ ଥିଲେ । ସମସ୍ତ ବିଦ୍ୟାର୍ଥୀ ଭଡୋଦରାର ଏକ ବିଦ୍ୟାଳୟର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଆରମ୍ଭ କରି ଦିଆଯାଇଛି ।

ରାଜ୍ୟମନ୍ତ୍ରୀ କୁବେର ଡିଣ୍ଡୋର ୬ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି । ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୧୦ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ କିଛି ଛାତ୍ର ଓ ଶିକ୍ଷକ ଏବେ ବି ନଦୀରେ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ୍‌ ସେମାନଙ୍କୁ ଖୋଜାଖୋଜି କରୁଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ଵିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ‘ଭଡୋଦରାର ହରଣୀ ନଦୀରେ ଛାତ୍ରମାନେ ବୁଡ଼ିଯିବା ଖବର ଅତ୍ୟନ୍ତ ଦୁଃଖଦାୟକ । ମୁଁ ସେହି ପିଲାମାନଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରୁଛି । ଏହି ଦୁଃଖଦ ସମୟରେ ମୁଁ ପୀଡ଼ିତ ପରିବାରର ଦୁଃଖରେ ସାମିଲ ହୋଇଛି । ଭଗବାନ ସେମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ପ୍ରଶାସନକୁ ଦୁର୍ଘଟଣାର ପୀଡ଼ିତମାନଙ୍କୁ ତତ୍କାଳ ରିଲିଫ୍‌ ଏବଂ ଉପଚାର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି’ ।

Leave a comment