୨୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ
ଲଖନଉ : ମାର୍ଚ୍ଚ ୨୫ରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ସେ ଉତ୍ତର ପ୍ରଦେଶର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଲକ୍ଷ୍ନୌରେ ସହିଦ ପଦରେ ସ୍ଥିତ ଇକାନା ଷ୍ଟାଡିୟମରେ ଶପଥ ସମାରୋହ ଆୟୋଜିତ ହେବ। ଏ ନେଇ ପ୍ରଶାସନ ପକ୍ଷରୁ ଇକାନା ଷ୍ଟାଡିୟମରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।
ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହିତ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ସଂଘ ଏବଂ ବିଜେପିର ବରିଷ୍ଠ ପଦାଧିକାରୀ ଶପଥ ଗ୍ରହଣ ସମାରୋହରେ ସାମିଲ୍ ହେବେ। ଯୋଗୀ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ବିଏସପି ସୁପ୍ରିମୋ ମାୟାବତୀ, ମୁଲାୟମ ସିଂହ ଯାଦବ, ସପା ଅଧ୍ୟକ୍ଷ ଅଖିଳେଶ ଯାଦବ, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସହିତ ବିରୋଧୀ ଦଳର ନେତାଙ୍କୁ ଆମନ୍ତ୍ରିତ କରାଯିବ ବୋଲି ଖବର ରହିଛି।