୭ କିମି ଯାଏଁ ମାଡି ଆସିବ ସମୁଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ୟସ୍‌ର ପ୍ରଭାଵ ରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ । ସମୁଦ୍ରରେ ୨ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ । ବାଲେଶ୍ୱରରେ ସମୁଦ୍ରରେ ସବୁଠୁ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି । ତେବେ ଭଦ୍ରକରେ ୟସ୍‌ ପ୍ରଭାବରେ ସମୁଦ୍ର ୭ କିମି ପର୍ଯ୍ୟନ୍ତ ଆଗକୁ ମାଡ଼ି ଆସିପାରେ । ଏଭଳି ଆଶଙ୍କା ଦେଖାଇଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ସ୍ଥଳଭାଗ ଛୁଇଁବାବେଳେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ରୁ ୪ ମିଟର ଉଚ୍ଚ ଜୁଆର ଉଠିପାରେ ସମୁଦ୍ରରେ । ବାଲେଶ୍ୱରର କୁମ୍ଭୀରଗାରୀରେ ୨.୧ରୁ ୩.୮ ମିଟର ଉଚ୍ଚ ଜୁଆର ଆଶଙ୍କା ଅଛି । ଅର୍ଥାତ୍‌ ୬.୮ ଫୁଟରୁ ୧୨.୪ ଫୁଟ ଉଚ୍ଚ ଜୁଆର ଉଠିବ ସମୁଦ୍ରରେ । ଏଠାରେ ଜୁଆର ଅଢ଼େଇ କିଲୋମିଟର ପାଖାପାଖି ଆଗକୁ ମାଡ଼ି ଆସିପାରେ ।

ଭଦ୍ରକର ମୋହନପୁର ପାଖରେ ୩ ଫୁଟରୁ ୬.୮ ଫୁଟ ଉଚ୍ଚ ଜୁଆର ଉଠିପାରେ ସମୁଦ୍ର । ବାସୁଦେବପୁର ଓ ଇଞ୍ଚୁଡ଼ି ମଝିରେ ରହିଛି ମୋହନପୁର । କେନ୍ଦ୍ରାପଡ଼ାର ଭିତରକନିକା ଓ କନିକା ଦ୍ୱୀପ ପାଖ ଟିକାୟତନଗରରେ ସମୁଦ୍ର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ ।ଏହା ପ୍ରଭାବରେ ସମୁଦ୍ର ଅଢ଼େଇ କିମିରୁ ଅଧିକ ଆଗକୁ ମାଡ଼ିଯାଇପାରେ । ସମୁଦ୍ର ପାଖ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ବ୍ୟବସ୍ଥା କରାଯାଇଛି ।

Leave a comment