ପ୍ରଥମ କୋଭିଡ୍-୧୯ ଆକ୍ରାନ୍ତଙ୍କ ସନ୍ଧାନ ମିଳି ନ ପାରେ: କହିଲେ ଊହାନ୍ରେ ପହଞ୍ଚିଥିବା ‘ଡବ୍ଲୁଏଚ୍ଓ’ ଟିମ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍-୧୯ର ଉତ୍ପତ୍ତି ସନ୍ଧାନରେ ଚୀନ୍ର ଊହାନ୍ ଗସ୍ତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶ୍ୱ ପ୍ରଥମ କୋଭିଡ୍-୧୯ ଆକ୍ରାନ୍ତ ବ୍ୟକ୍ତିଜଣଙ୍କୁ ଚିହ୍ନଟ କରି ନ ପାରେ।ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରୋଗ ସଂକ୍ରାନ୍ତ ବୈଷୟିକ ବିଭାଗର ନେତୃତ୍ୱ ନେଉଥିବା ମାରିଆ ଭ୍ୟାନ୍ କେର୍ଖୋଭ୍ କହିଛନ୍ତି ଯେ, ଚୀନ୍ର ଊହାନ୍ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତା’ର ତଦନ୍ତ ଚଳାଇଥିଲେ ସୁଦ୍ଧା ‘ପ୍ରଥମ ଆକ୍ରାନ୍ତ’ଙ୍କୁ ବିଶ୍ୱ କଦାପି ଚିହ୍ନଟ କରି ନ ପାରେ।ଚୀନ୍ ଗସ୍ତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ଟିମ୍ ସମ୍ପ୍ରତି ଏକ ହୋଟେଲ୍ରେ ୧୪ଦିନିଆ କ୍ୱାରେଣ୍ଟିନ୍ରେ ଥିବାରୁ ଊହାନ୍ସ୍ଥିତ ବିଶେଷଜ୍ଞମାନଙ୍କ ସହ ଭର୍ଚ୍ୟୁଆଲ୍ ମିଟିଙ୍ଗ୍ କରିବେ। ଏହାଛଡ଼ା, କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ବିଶେଷଜ୍ଞ ଦଳର ଦୁଇଜଣ ସଦସ୍ୟଙ୍କୁ ଚୀନ୍ ମଧ୍ୟକୁ ପ୍ରବେଶ କରାଇ ଦିଆ ଯାଇନାହିଁ।ସେପଟେ ‘ଗ୍ଲୋବାଲ୍ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ଊହାନ୍ରେ ଥିବା ବିବାଦୀୟ ‘ବାୟୋ ଲ୍ୟାବ୍’ର ଜଣେ ଭୂତାଣୁବିତ୍ଙ୍କୁ ଚୀନ୍ ସମ୍ମାନିତ କରିଛି। ‘ବ୍ୟାଟ୍ ଉମ୍ୟାନ୍’ ଭାବେ ସୁପରିଚିତ ଏହି ଭୂତାଣୁବିତ୍ ହେଉଛନ୍ତି ‘ଊହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’ର ଗବେଷିକା ସି ସେଙ୍ଗଲି। ତାଙ୍କୁ ‘ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସେସ୍’ର ଜଣେ ଅଗ୍ରଣୀ କର୍ମୀ ଭାବେ ସମ୍ମାନିତ କରାଯାଇଛି।