ମହାଭିଯୋଗ ମୁକାବିଲା ଟିମ୍ର ନେତୃତ୍ୱ ନେବାକୁ ଦୁଇଜଣ ଓକିଲଙ୍କ ନାମ ଘୋଷଣା କଲେ ଟ୍ରମ୍ପ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିନେଟ୍ରେ ହେବାକୁ ଥିବା ମହାଭିଯୋଗ ବିଚାରରେ ତାଙ୍କ ସପକ୍ଷରେ ଥିବା ଦଳର ନେତୃତ୍ୱ ନେବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ରବିବାର ଦିନ ଦୁଇଜଣ ନୂଆ ଓକିଲଙ୍କ ନାମ ଘୋଷଣା କରିଛନ୍ତି। କୌଣସି କାରଣରୁ ସେ ତାଙ୍କର ପୁରୁଣା ଓକିଲମାନଙ୍କ ଠାରୁ ହଠାତ୍ ଦୂରେଇ ଯାଇଛନ୍ତି। ଦକ୍ଷିଣ କାର୍ଲୋନିଆର ଦୁଇ ଓକିଲ ବଚ୍ ବାଓର୍ସ ଏବଂ ଦେବୋରା ବାର୍ବେରି ଆଉ ଟ୍ରମ୍ପ୍ଙ୍କ ଟିମ୍ରେ ନାହାନ୍ତି। ପାରସ୍ପରିକ ନିଷ୍ପତ୍ତି ମଧ୍ୟରେ ସେମାନେ ବିଦା ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
ଏକ ବିବୃତିରେ ଟ୍ରମ୍ପ୍ଙ୍କ କାର୍ଯ୍ୟାଳୟ କହିଛି, ଫେବ୍ରୁଆରି ୯ ତାରିଖ ଦିନ ଆରମ୍ଭ ହେବାକୁ ଥିବା ମହାଭିଯୋଗ ବିଚାରରେ ଟ୍ରମ୍ପ୍ଙ୍କ ପକ୍ଷରୁ ଓକିଲ ଡେଭିଡ୍ ଶ୍ଚନ୍ ଏବଂ ବ୍ରୁସ୍ କ୍ୟାଷ୍ଟର୍ ପ୍ରତିନିଧିତ୍ୱ କରିବେ। ମହାଭିଯୋଗ ବିଚାରର ମୁକାବିଲା ନିମନ୍ତେ ପ୍ରସ୍ତୁତି ନିମନ୍ତେ ଟ୍ରମ୍ପ୍ ଏବଂ ପରାମର୍ଶଦାତାଙ୍କୁ ସେ ସହୟତା ଯୋଗାଇବା ଆରମ୍ଭ କରି ସାରିଛନ୍ତି।
ଜାନୁଆରି ୧୩ ତାରିଖ ଦିନ ପ୍ରତିନିଧି ସଭା ପାରିତ କରିଥିବା ମହାଭିଯୋଗ ଧାରା ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ବିଚାର କରିବ। ଜାନୁଆରି ୬ ତାରିଖ ଦିନ ଟ୍ରମ୍ପ୍ଙ୍କ ପ୍ରରୋଚନାରେ ତାଙ୍କର ଅନୁଗାମୀମାନେ ‘କ୍ୟାପିଟଲ୍’ରେ ଅନୁପ୍ରବେଶ କରି ଗଣ୍ଡଗୋଳ କରିଥିଲେ। ଏହି ହିଂସାକାଣ୍ଡରେ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ଆଧାର କରି ମହାଭିଯୋଗ ପାରିତ ହୋଇଥିଲା।
ତାଙ୍କ ବିରୋଧରେ ଆଗତ ମହାଭିଯୋଗ ସଂକ୍ରାନ୍ତରେ ଟ୍ରମ୍ପ୍ଙ୍କୁ ମଙ୍ଗଳବାର ଦିନ ଉତ୍ତର ଦାଖଲ କରିବାକୁ ପଡ଼ିବ।