ତିନି ଦିନିଆ PHDMA ବାର୍ଷିକ କର୍ମଶାଳା “ସୋଚ ବିଚାର” ସମାପାନ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦାରିଦ୍ର ତଥା ମାନବ ବିକାଶ ନିରୀକ୍ଷଣ ସଂସ୍ଥା ବା PHDMAର ତିନି ଦିନିଆ ବାର୍ଷିକ କର୍ମଶାଳାର ଦ୍ୱିତୀୟ ସଂସ୍କରଣ ଶେଷ ହୋଇଛି । ନିଜ ନିଜ କ୍ଷେତ୍ରରେ ଜଣାଶୁଣା ବିଶେଷଜ୍ଞଙ୍କ ଉପସ୍ଥିତିରେ ଜୀବିକା, ଅର୍ଥନୀତି ଏବଂ ଜଳବାୟୁ ସନ୍ତୁଳନ ପଦକ୍ଷେପ ଭଳି ବିଭିନ୍ନ ବିକାଶ ମୂଳକ ବିଷୟ ଉପରେ ଉତ୍ସବରେ ଗୁରୁତର ବିଚାର ବିମର୍ଶ କରାଯାଇଥିଲା । ଉତ୍ସବର ଶେଷ ଦିନରେ PHDMAର ମେମ୍ବର ସେକ୍ରେଟାରୀ ରୁପା ରୋଶନ ସାହୁ ଯୁବ ବୃତ୍ତିଗତ ବା ୟଙ୍ଗ ପ୍ରଫେସନାଲ ମାନଙ୍କୁ ପ୍ରେରଣାଦାୟକ ମନ୍ତବ୍ୟ ଦେଇ ନିଜ ନିଜ କର୍ମକ୍ଷେତ୍ରରେ ଆଗକୁ ବଢିବା ସହ ଓଡିଶାର ସମଗ୍ର ବିକାଶରେ PHDMAର ପରିଧୀକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । କର୍ମଶାଳାର ପ୍ରଥମ ଦିନ Delivering governance@2024: Odisha on the move ବିଷୟରେ ଏକ ଜ୍ଞାନବର୍ଦ୍ଧକ ଆଲୋଚନା ସହିତ ଆରମ୍ଭ ହୋଇଥିଲା । ଏହି ଆଲୋଚନାରେ ଅଗ୍ରଣୀ ସଂଗଠନ CYSD, UNDP ଏବଂ XIM ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ । ଆଲୋଚନା ଆରମ୍ଭରେ ନ୍ୟାସନାଲ ଏକାଡେମୀ ଅଫ୍ ବ୍ରୋଡକାଷ୍ଟିଂ ଏବଂ ମଲ୍ଟିମିଡିଆର ପୂର୍ବତନ ନିର୍ଦ୍ଦେଶକ ଦୀପକ ସାମନ୍ତରାଇ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନା ତଥା କଲ୍ୟାଣମୂଳକ ପଦକ୍ଷେପ ଉପରେ ସଚେତନତା ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ । ଜାଭିୟର୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ସ୍କୁଲ୍ ଅଫ୍ ରୁରାଲ ମ୍ୟାନେଜମେଣ୍ଟର ଡିନ୍ ପ୍ରଫେସର ନୀରଜ କୁମାର ତୃଣମୂଳ ସ୍ତରରେ ଥିବା ଲୋକଙ୍କ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ଏବଂ ସହାୟତା ପାଇଁ ଆହ୍ବାନ ଦେଇଥିଲେ । ସେ କହିଥଲେ ଯେ, ସରକାରୀ ଯୋଜନାଗୁଡିକର ପରିଚାଳନା ପାଇଁ ବିଭିନ୍ନ ସଂସ୍ଥାଗୁଡିକର କାର୍ଯ୍ୟକାରୀ ଉପରେ ନିର୍ଭର କରେ । UNDP ରାଜ୍ୟ ମୁଖ୍ୟ ଆଭା ମିଶ୍ର ଇ-ପୋର୍ଟାଲ ଏବଂ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କ କଲ୍ୟାଣ ପାଇଁ ଶାସନରେ ସ୍ୱଚ୍ଛତା ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ସଫଳତାକୁ ଉଦାହରଣ ସ୍ବରୁପ ଦର୍ଶାଇଥିଲେ । CYSDର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ବସନ୍ତ କୁମାର ନାୟକ ଗୁରୁତ୍ବ ଦେଇ କହିଥିଲେ ଯେ, ପରିଚାଳିତ ଶାସନ ପ୍ରସଙ୍ଗାତ୍ମକ ଅଂଶଗ୍ରହଣକାରୀ, ଅନ୍ତର୍ଭୂକ୍ତ, ଉତ୍ତରଦାୟୀ ଏବଂ ସ୍ୱଚ୍ଛ ପ୍ରକ୍ରିୟା ଭଳି ଚାରୋଟି ମାପଦଣ୍ଡ ଦ୍ବାରା ହୋଇଥାଏ । କୃଷି, ଲିଙ୍ଗଗତ, ପୁଷ୍ଟିକର ଖାଦ୍ୟ ଇତ୍ୟାଦି ପାଇଁ ପୃଥକ ପୃଥକ ବଜେଟ୍ ପାଇଁ ଓଡିଶାର ଦୃଷ୍ଟିକୋଣ ଉପରେ ଆଲୋଚନା କରି ଅନ୍ତର୍ଭୂକ୍ତ ଶାସନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
କର୍ମଶାଳାର ଦ୍ବିତୀୟ ଦିନ ବିଚାର ବିମର୍ଶରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆନ୍ଥ୍ରୋପୋଲୋଜିଷ୍ଟ ତଥା ଆସୋସିଏଟ୍ ପ୍ରଫେସର ଡ. ଅଭିତୋଲି ଜିମୋ “ଭିଜୁଆଲ୍ ଆନ୍ଥ୍ରୋପୋଲୋଜି” ଉପରେ ନିଜ ବକ୍ତବ୍ୟ ରଖି ଜୀବନ୍ତ ଅନୁଭୂତିଗୁଡ଼ିକୁ ପ୍ରକାଶ କରିବାରେ ଚିତ୍ରଗୁଡ଼ିକର ପରିବର୍ତ୍ତନଶୀଳ ଶକ୍ତି ଉପରେ ଗୁରୁତ୍ବ ଦେଇଥିଲେ । ଆଲୋଚନାରେ ଶୈକ୍ଷିକ ପ୍ରତିପକ୍ଷଠାରୁ ଭିନ୍ନ ସାମାଜିକ ହସ୍ତକ୍ଷେପର ଏକ ରୂପ ଭାବରେ ଉଭା ହୋଇଥିବା ଆପ୍ଲାଏଡ୍ ଭିଜୁଆଲ୍ ଆନ୍ଥ୍ରୋପୋଲୋଜି (AVA) ର ମହତ୍ତ୍ବ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଦ୍ବିତୀୟ ଦିନ ଦ୍ବିତୀୟ ଅଧିବେଶନରେ ଜାତୀୟ ବୃତ୍ତଚିତ୍ର ପୁରସ୍କାର ବିଜେତା ଓଡିଶା ମୟୂରଭଞ୍ଜ ଜିଲ୍ଲାର ହୋ ଆଦିବାସୀ ସମ୍ପ୍ରଦାୟର ଲିପିକା ସିଂ ଦାରାଇଙ୍କ ଡକ୍ୟୁମେଣ୍ଟାରୀ “Some Stories Around Witches” (2013) ପ୍ରଦର୍ଶନ କରାଯାଇଥିଲା । ଯାହା ଗୁଣିଗାରେଡି ବିରୋଧୀ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିଲେ । ସମାଜରେ ପ୍ରଚଳିତ ସାମାଜିକ-ରାଜନୈତିକ-ସାଂସ୍କୃତିକ ଗତିଶୀଳତାକୁ ପ୍ରକାଶ ପକାଇବା ଏହି ବୃତ୍ତଚିତ୍ରର ମୁଖ୍ୟ ଉଦ୍ଦେଖ୍ୟ ରହିଥିଲା ।
କର୍ମଶାଳାର ତୃତୀୟ ତଥା ଅନ୍ତିମ ଦିନରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆକର୍ଷଣୀୟ ବିଚାର ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ଏହାର ପ୍ରଭାବ ଏକ ପ୍ରଶ୍ନ-ଉତ୍ତର ଅଧିବେଶନ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଚାରି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ ଦଳ “ସୋଚ୍ ବିଚାର” ର ଅନ୍ତିମ ଦିନରେ “Climate Resilience and Livelihoods in Odisha” ଉପରେ ସେମାନଙ୍କର ନିଜସ୍ବ ଅନୁଭୂତିରୁ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କୁ ଆଲୋକିତ କରିଥିଲେ । ଏହି ପ୍ୟାନେଲରେ “ବସୁନ୍ଧରା” ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗିରି ରାଓ, “ଫାଉଣ୍ଡେସନ୍ ଫର ଇକୋଲୋଜିକାଲ ସିକ୍ୟୁରିଟି”ର ଜେନେରାଲ୍ ମ୍ୟାନେଜର ସ୍ବପ୍ନାଶ୍ରୀ ସଡଙ୍ଗୀ, “ସେଲକୋ ଫାଉଣ୍ଡେସନ”ର ବରିଷ୍ଠ ଉପଦେଷ୍ଟା ଗୌତମ କୁମାର ପ୍ରଧାନ ଏବଂ “ପ୍ରଦାନ” ଅନୁଷ୍ଠାନର ଇଣ୍ଟିଗ୍ରେଟର ଅମୁଲ୍ୟ କୁମାର ଖଣ୍ଡାଇ ଯୋଗ ଦେଇଥିଲେ ।
କର୍ମଶାଳାର ଅନ୍ତିମ ଦିନ ଦ୍ବିତୀୟ ଭାଗରେ “EPIC India”ର ରିସର୍ଚ୍ଚ ମ୍ୟାନେଜର ଜୋୟା ଖାନ “ପ୍ରମାଣ-ଆଧାରିତ ଅନୁସନ୍ଧାନ: ପଦ୍ଧତି ଏବଂ ଓଡିଶାରେ ଏହାର ଭବିଷ୍ୟତ” ଏବଂ ପ୍ରମାଣ-ଆଧାରିତ ନୀତି ନିର୍ଣ୍ଣୟ, ଆଇନଜୀବୀଙ୍କୁ ଶିକ୍ଷା, କାର୍ବନ ଅଫସେଟ, ଜାତୀୟ କାର୍ବନ ବଜାର ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ ଆୟୁଷ ଉପରେ କିପରି ପ୍ରଭାବ ପକାଉଛି ଉପରେ ଆଲୋଚନା କରିଥିଲେ । ଆକର୍ଷଣୀୟ ଆଲୋଚନା ସହ PHDMAର OSD ଅମୃତା ପ୍ରିୟମ୍ବଦାଙ୍କ ନିର୍ଦ୍ଦେଶନାରେ SDG ଗୁଡ଼ିକର ସଚେତନତା, ନେତୃତ୍ୱ ଏବଂ ଦଳ ଗଠନ ଅଭ୍ୟାସ ଉପରେ କୌତୁହଳପୂର୍ଣ୍ଣ କାର୍ଯ୍ୟକ୍ରମ କରାଯାଇଥିଲା । PHDMA ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।